### ରୂପାନ୍ତରଣ ###

ବର୍ଷା ହେଲେ ଖୁବ୍ ଭଲ ଲାଗେ ମିତୁକୁ। ଆକାଶରୁ ଝର ଝର ହେଇ ବୋହି ଆସୁଥିବା ବର୍ଷାର ଧାରା ଖୁସିର ବନ୍ୟା ସୃଷ୍ଟି କରେ ତା ମନ ଭିତରେ। ପିଲାଟି ବେଳୁ ସେ ବାଲକୋନୀରେ କି ଝରକା ପାଖେ ବସି ଘଣ୍ଟା ଘଣ୍ଟା ଧରି ଚାହିଁ ରହେ ବର୍ଷାକୁ। ଖୁବ୍ ଉପଭୋଗ କରେ ସେ ସେଇ ବର୍ଷାର ଟିପ୍ ଟିପ୍ ଶବ୍ଦ। ଭୂଇଁରେ ବୋହି ଯାଉଥିବା ପାଣି ଧାର ସହ ବୋହିଯାଏ ସେ କେଉଁ ଏକ ଅଜଣା ଇଲାକାକୁ।

ପିଲାଦିନେ ତ ଛତା ନେଇଥିଲେ ବି କିଛି ନା କିଛି ବାହାନା କରି ସ୍କୁଲ୍ ରୁ ଓଦା ହେଇ ଫେରି ଜ୍ଵରରେ ପଡ଼ିଛି ଅନେକ ଥର। ଘରେ ଶୁଣାଏ ଛତା ଓଲଟି ଗଲା। ମା ବାପାଙ୍କୁ କହି ରେନ୍ କୋଟ୍ କିଣି ଆଣିଲା ପରଠୁ ଆଉ ଛତା ଓଲଟା ବାହାନା କରି ନ ପାରିଲେ ବି ବର୍ଷା ପାଣିରେ ଗୋଡ଼ ବୁଡ଼େଇ ବୁଡ଼େଇ ଆସେ ଜାଣି ଜାଣି। ସେତିକିରେ ବି ଥଣ୍ଡା ହେଇ ଖୁବ୍ ଭୋଗେ। ହେଲେ ବର୍ଷାର ଆକର୍ଷଣକୁ ଏଡ଼େଇ ପାରେନି ସେ ଜମା।

ବୟସ ସାଙ୍ଗରେ ବର୍ଷା ପାଇଁ ତା ପାଗଳାମୀ ବଢ଼ିଥିଲା କେବଳ। ବାହାଘର ପରେ ସମୀର ତା ଏଇ ପାଗଳପଣ ଦେଖି ବେଶ୍ ଆମୋଦିତ ହୁଅନ୍ତି। ଆକାଶରେ କଳା ହାଣ୍ଡିଆ ମେଘ ଦେଖୁ ଦେଖୁ ମିତୁ ତରତରରେ ଲାଗିଯିବ ସବୁ କାମ ଛିଣ୍ଡେଇବାରେ। ଠିକ୍ ଯେମିତି ବର୍ଷା ଆରମ୍ଭ ହେଇଯିବ, ସେ ଚେୟାର ପକେଇ ବସିଯିବ ବାଲକୋନୀରେ। ଘର ଆଗରେ ଥିବା କୃଷ୍ଣଚୂଡ଼ା ଗଛ ଉପରେ ବର୍ଷାର ଅବିରତ ନୃତ୍ୟକୁ ଅପଲକ ଆଖିରେ ଉପଭୋଗ କରିବ ସେ। ଖୁବ୍ ଅନ୍ୟମନସ୍କ ହେଇଯିବ ସେତେବେଳେ। ସବୁ କାମକୁ ଠିକ୍ ସମୟରେ ସାରିବାରେ ବିଶ୍ବାସ କରୁଥିବା ସମୟାନୁବର୍ତ୍ତୀ ମିତୁ କିନ୍ତୁ ସମୟ ଜ୍ଞାନ ଭୁଲି ବସିବ ବର୍ଷା ତକ ସମୟ।

ସମୀର ବି ତାକୁ ଡିଷ୍ଟର୍ବ କରିବାକୁ ଚାହାଁନ୍ତିନି ସେ ସମୟରେ। କେବେ କିଛି ଦାବି କରୁନଥିବା, ସବୁଥିରେ ସହଜରେ ସନ୍ତୁଷ୍ଟ ହେଇ ଯାଉଥିବା ମିତୁକୁ କଣ କରି ଟିକେ ସ୍ପେଶାଲ ଫିଲ୍ କରେଇବେ ବୁଝି ପାରନ୍ତିନି ସମୀର। ତେଣୁ ଏଇ ବର୍ଷା ଟିକେ, ଯାହା ମିତୁକୁ ଏତେ ମାତ୍ରାରେ ଭାବପ୍ରବଣ କରି ଦଉଚି, ତା ସହ ଟିକେ ଏକେଲା ଛାଡ଼ି ଦେବାରେ ଆଦୌ କାର୍ପଣ୍ୟ କରନ୍ତିନି ସେ। ବରଂ କେମିତି ଏତେ ସମୟ ଧରି ଏକ ଲୟରେ ବର୍ଷାକୁ ଚାହିଁ ରହେ ମିତୁ, ସେଇଆ ନିରୀକ୍ଷଣ କରି ଆଶ୍ଚର୍ଯ୍ୟ ହୁଅନ୍ତି ସମୀର। ହଁ, ହାତରେ ସମୟ ଥିଲେ ଅଦା ଛେଚି, ଗୋଲ ମରିଚ ଗୁଣ୍ଡ ପକେଇ ଗରମାଗରମ ଚା ଦୁଇ କପ୍ ଧରି ଆଉ ଗୋଟେ ଚେୟାର ପକେଇ ବସି ଯାଆନ୍ତି ତା ପାଖେ ଆସି। ଚା ଚୁସ୍କି ନେବା ଭିତରେ ବି ସେମିତି ଅନ୍ୟମନସ୍କ ଥାଏ ମିତୁ। ଯେମିତି ତା ସେ ବର୍ଷଣମୁଖର ଦୁନିଆଁରେ ସମୀରଙ୍କ ଏ ଅନଧିକାର ପ୍ରବେଶକୁ ବି ସେ ଆଦୌ ଚାହୁଁନି।

ବର୍ଷା ଛାଡ଼ିଲା ପରେ ହଠାତ୍ ପ୍ରକୃତିସ୍ଥ ହୁଏ ମିତୁ। ଯେମିତି ଏଯାଏଁ ତାକୁ କବଳିତ କରି ରଖିଥିବା ପ୍ରେତାତ୍ମା ଗୋଟିକ ତା ଶରୀର ତ୍ୟାଗ କଲା ପରେ ସେ ସଚେତନ ହଉଛି ନିଜ ଆଖାପାଖର ଦୁନିଆଁ ପ୍ରତି। ତରତରରେ ଉଠି ଚାଲିଯାଏ ଅଟକି ରହିଥିବା କାମ ସବୁ ସାରିବାକୁ।

ସେଦିନ ଥିଲା ମିତୁ ଆଉ ସମୀରଙ୍କ ଦ୍ଵିତୀୟ ବିବାହ ବାର୍ଷିକୀ। ଜୁଲାଇ ମାସ। ବର୍ଷା ଢାଙ୍କି ରଖିଛି ଆକାଶକୁ। କେତେବେଳେ ଢାଳିବା ଆରମ୍ଭ କରିଦେବ କହି ହବନି। ସମୀର ତ ଅଫିସ ଯାଇଛନ୍ତି। ତରତର ହୋଇ କାମ ସାରୁଛି ମିତୁ। ବର୍ଷା ଆରମ୍ଭ ହେଇ ଗଲେ ସବୁ କାମ ପଡ଼ି ରହିବ ସେମିତି। ତା ଆଗରୁ ବରଂ ଯେତେ ଯାହା କାମ ଅଛି, ସାରିଦିଏ ସେ! କଲିଙ୍ଗ୍ ବେଲ୍ ଶବ୍ଦ ଶୁଣି କାମ ଅଧାରୁ ଛାଡ଼ି କବାଟ ଖୋଲି ଆଶ୍ଚର୍ଯ୍ୟ ହେଇଗଲା ମିତୁ। ଏ କଣ! ସମୀର ଏ ଅସମୟରେ ଘରେ!

ସମୀର ତାକୁ କାରଣ ନ କହି ସିଧା ରେଡି ହବାକୁ କହିଲେ । ମିତୁ କୁଆଡ଼େ, କାହିଁକି କିଛି ନ ପଚାରି ଝରକା ବାହାର ଆକାଶକୁ ଚାହିଁଲା ଖାଲି। ସମୀର ବୁଝିଗଲେ, ମିତୁ ବର୍ଷାକୁ ବାଲକୋନୀରେ ବସି ଉପଭୋଗ କରିବା ଛାଡ଼ି ତାଙ୍କ ସହିତ ବାହାରକୁ ଯିବାକୁ କୁଣ୍ଠିତ। ତେଣୁ ବାଧ୍ୟ ହେଇ କହି ବସିଲେ: ସହର ବାହାରକୁ ଯାଇଥିବା ରାସ୍ତାଟି ପୁରା ଫାଙ୍କା ଥିବ ଏ ସମୟରେ। ସେଇ ରାସ୍ତାରେ ବର୍ଷାକୁ ଉପଭୋଗ କରିବା ଅନୁଭୂତି ନିଶ୍ଚୟ ଭିନ୍ନ ହବ ତା ପାଇଁ। ତାକୁ ଖାସ୍ ତା ଅତିପ୍ରିୟ ବର୍ଷା ପାଖକୁ ନେଇ ଯିବାକୁ ସମୀର ହାଫ୍ ଡେ ଛୁଟି ନେଇ ଆସିଛନ୍ତି ଆଜି। ତାଙ୍କ କହିବା କଥା ହେଲା, ସେ ସେଇ ପ୍ରାୟତଃ ଜନଶୂନ୍ୟ ରାସ୍ତାରେ ଗାଡ଼ି ଚଳେଇବେ। ଆଉ ମିତୁ ଝରକା ବାଟେ ବର୍ଷାକୁ ଉପଭୋଗ କରିବ ଆଉ ଟିକେ ପାଖରୁ।

ଖୁସିରେ କୁରୁଳି ଉଠିଲା ମିତୁ। ବର୍ଷା ପ୍ରତି ତା ଭଲ ପାଇବା ତେବେ ବୁଝି ପାରିଛନ୍ତି ସମୀର। ବିବାହବାର୍ଷିକୀରେ ୟା ଠୁ ବଳି ବଡ଼ ଉପହାର ଆଉ କଣ ହୋଇପାରେ ଯେ!

ଖୁବ୍ ତରତରରେ ଶାଢ଼ୀ ଖଣ୍ଡକ ବଦଳି ଧାଇଁ ଆସିଲା ମିତୁ। ଗୋଟେ ଠୋପା ବର୍ଷାକୁ ସେ ମିସ୍ କରିବାକୁ ଚାହୁଁ ନଥିଲା। ଆମୋଦିତ ହେଉଥିଲେ ସମୀର ତା ଏ ପାଗଳାମୀ ଦେଖି। ତେବେ ଗାଡ଼ି ଛୁଟିଲା ସହରରୁ ବାହାରକୁ ଯାଉଥିବା ରାସ୍ତାରେ। କିଛିବାଟ ଯାଏଁ ଦୋକାନ ବଜାର ଥିଲା। ସହର ସୀମା ଡେଇଁବା ପରେ ରାସ୍ତା ଥିଲା ଖାଲି। ରାସ୍ତାର ଦୁଇ ପାଖରେ ବିସ୍ତୀର୍ଣ୍ଣ କ୍ଷେତ ମାଳ। ଠାଏ ଠାଏ ଖାଲି ନୀଳ ଜରି ପାଲ ଟାଣି ମକା ପୋଡ଼ି ବିକୁଥାନ୍ତି କିଛି ପରିବାର। ସେ ଯାଏଁ ବର୍ଷା ଆରମ୍ଭ ହେଇ ନଥାଏ। ନୂଆ ବୋହୂ ଭଳି ଢାଙ୍କି ରଖିଥାଏ ମେଘ ସୁଦୂରବିସ୍ତାରୀ ଆକାଶକୁ। କେତେବେଳେ ଯେ ଅଜାଡ଼ି ପକେଇବ ମାଠିଆରୁ ପାଣି ଢାଳିବା ଭଳି, ତାର ଠିକ୍ ଠିକଣା ନାହିଁ । ରାସ୍ତା ସାଇଡ୍ ରେ ଗାଡ଼ି ରଖି ଦୁଇଟା ପୋଡ଼ା ମକା ନେଇ ଆସିଲେ ସମୀର। ମିତୁ ପସନ୍ଦ ମୁତାବକ ଲେମ୍ବୁ, ଲୁଣ ବେଶୀ କରି ଘଷି ଆଣିଥାନ୍ତି। ନିଜେ ନିଜ ମକାରୁ ଫାଳେ ତରତରରେ ଖାଇ ଦେଇ, ଆଉ ଫାଳେ ପରେ ଖାଇବେ କହି ଗାଡ଼ି ଡ୍ରାଇଭ୍ କରିବା ଆରମ୍ଭ କଲେ ସମୀର। ଠିକ୍ ଏଇ ସମୟରେ ବର କୋଳିଆ ଠୋପା ଖସିବା ଆରମ୍ଭ କଲା ଆକାଶରୁ। ଡୋର୍ ବନ୍ଦ କରି ଦେଇ ସ୍ଲୋ ମ୍ୟୁଜିକ୍ ରେ ମନସୁନ୍ ସ୍ପେଶାଲ ଗୀତ ଲଗେଇ ଦେଲେ ମ୍ୟୁଜିକ୍ ପ୍ଲେୟାରରେ ସମୀର ।

ଏଯାଏଁ ଘର ଛାତ, ଗଛ ଉପରେ ପଡ଼ୁଥିବା ବର୍ଷାର ଶବ୍ଦ ଶୁଣିବାରେ ଅଭ୍ୟସ୍ତ ମିତୁ ପ୍ରଥମ ଥର ପାଇଁ କାର୍ ଉପରେ ପଡ଼ୁଥିବା ବର୍ଷା ଠୋପାର ଶବ୍ଦକୁ ଶୁଣୁଥିଲା ଅତି ପାଖରୁ। ଯେମିତି ତା ମୁଣ୍ଡ ଉପରେ ନାଚୁଛି ବର୍ଷା!!

ବାହାରେ ରୋମାଣ୍ଟିକ ପାଗକୁ ଭିତରେ ରୋମାଣ୍ଟିକ ଗୀତ, ତା ସାଙ୍ଗକୁ ଗରମ୍ ଗରମ୍ ମକା ପୋଡ଼ା ଖିଆ ! ଖୁସିରେ ପାଗଳ ହେଇଯିବ କି କଣ ବୋଧେ ମିତୁ!!

ସେଇମିତି ୱିଣ୍ଡୋ ବାହାରକୁ ଚାହିଁ ଚାହିଁ ପାଗଳ ହଉଥାଏ ସେ। ରାସ୍ତା କଡ଼ ବିଲ କ୍ଷେତ ମାନଙ୍କ ଉପରେ ବର୍ଷା ନାଚି ନାଚି ଚାଲିଥାଏ ତାଙ୍କର କାର୍ ର ଗତି ସହିତ ତାଳ ଦେଇ।

ଆଃ! କି ମନଲୋଭା ସେ ଦୃଶ୍ୟ। ଏତେ ଖୁସି ଦେଇପାରେ ଏ ବର୍ଷା!!

ଗୁଡ଼ାଏ ରାସ୍ତା ଚାଲି ଆସିଲେଣି ସେମାନେ। ଦୂରତା ସହିତ ବର୍ଷାର ବେଗ ବି ବଢ଼ି ଚାଲିଚି। ୱାଇପର ଆଉ ପୋଛି ପାରୁନି ଆଗ କାଚକୁ। ଗାଡ଼ି ତେଣୁ ଆଉ ବେଶୀ ଜୋର୍ ରେ ଚଳେଇ ହଉନି। ଧିରେ ଧିରେ ଚାଲିଛନ୍ତି ସେମାନେ।

ଆଗରୁ ଦିଶୁଥିବା ସେ ମକା ପୋଡ଼ା ଦୋକାନ ସବୁ ବି ଆଉ ଦିଶୁନି ବେଶୀ। ହଠାତ୍ ଗୋଟେ ଗଛ ମୂଳକୁ ନଜର ପଡ଼ିଲା ମିତୁର। ବୁଢ଼ୀ ଲୋକଟିଏ ଶାଙ୍କୁଡ଼ି ହେଇ ଠିଆ ହେଇଛି। ବୋଧେ ମକା ପୋଡ଼ି ବିକୁଥିଲା ସେଇ ଗଛ ମୂଳେ। ହେଲେ ଏଇ ବର୍ଷା ଧୋଇ ଦେଇଛି ତା ଚୁଲୀକୁ। ଅନ୍ୟ ମାନଙ୍କ ଭଳି ତା ପାଖରେ ବି କେହି ନାହାଁନ୍ତି ଯେ!

ମିତୁ ଗାଡ଼ି ଅଟକେଇବାକୁ କହିଲା ସମୀରଙ୍କୁ। କାର ରୁ ଛତା କାଢ଼ି, ମୁଣ୍ଡେଇ ଚାଲିଲା ସେ ସେଇ ବୁଢ଼ୀ ଲୋକଟି ପାଖକୁ। ତା ପାଖରେ ପହଞ୍ଚି ଦେଖିଲା ଥରୁଚି ସେ ବୁଢୀଟି। ସରବୁଡ଼ା ଓଦା। ମିତୁ ପଚାରିଲା, ବର୍ଷାରେ ଏମିତି ଠିଆ ହେଇ ଭିଜୁଛି ସେ କାହିଁକି।
ବୁଢ଼ୀଟି ଏକ ରକମ କାନ୍ଦ କାନ୍ଦ ହେଇ କହି ବସିଲା ସହର ପାଖରେ ଗୁଡ଼ାଏ ମକା ଦୋକାନ। ଦୁଇ ତିନିଜଣ କରି ବିକନ୍ତି ସେଠି ଅନ୍ୟମାନେ। ବୁଢ଼ୀର ଘରେ ଖାଲି ବୁଢ଼ା। ଆଗରୁ ଦୁଇଜଣ ମିଶି ବିକୁଥିଲେ ସେମାନେ। ହେଲେ ବୁଢ଼ା ଏବେ କତରାଲଗା। ଆଉ କିଏ ନାହାଁନ୍ତି ତାଙ୍କର। ବୁଢ଼ୀ ତାକୁ ଛାଡ଼ି ମକା ବିକିବାକୁ ନ ଆସିଲେ ନ ଚଳେ। ଆଗକୁ ଏତେ ସାରା ଦୋକାନୀ ବୋଲି ବେଶୀ ଦୂରକୁ ଚାଲି ଆସି ବସେ ସେ। ଏପଟୁ ସହରକୁ ଯାଉଥିବା ଲୋକେ ତାକୁ ଦେଖି କିଣିବେ ବୋଲି। ସତରେ ସେଇଆ ହୁଏ ବି। ଲୋକେ ତା ଦୋକାନ ଆଗେ ଦେଖି କିଣନ୍ତି ବି।

ହେଲେ ଆଜିର ଏ ଧାରା ଶ୍ରାବଣ ତା ବେପାର ବୁଡ଼େଇ ଦେଲା। ଏତେ ଜୋର୍ ବର୍ଷା ଯେ, ଘରକୁ ଫେରିବାକୁ ଏତେ ଦୂର ଯିବା ବି ସମ୍ଭବ ହେଲାନି। ଅନ୍ୟ ମାନଙ୍କ ଭଳି ପଲିଥିନ୍ କିଣିବାକୁ ସମ୍ବଳ କାହିଁ ତା ପାଖରେ! ଏବେ ଏ ବର୍ଷା ଛାଡ଼ିବା ଯାଏଁ ଅପେକ୍ଷା କରିବା ଛଡ଼ା ଆଉ ଉପାୟ କିଛି ନାହିଁ ତା ପାଖରେ। ଏବେ ବୁଢ଼ା ସିଆଡ଼େ ଚାହିଁ ବସିଥିବ ତା ବାଟକୁ। ଘରେ ପାଣି ଗଳି ଓଦା ହେଇ ସାରିବଣି କି କଣ ବୋଧେ। ଉଠି ପାରୁଚି ଯେ କିଛି କରି ପାରିବ ବୋଲି! ଏତିକି କହି ଭେଁ ଭେଁ କରି କାନ୍ଦି ଚାଲିଲା ବୁଢ଼ୀ।

ତା ଆଖିର ଲୁହ ମିତୁ ଆଖିକୁ ସଞ୍ଚରି ଆସୁଥିଲା।

ତାକୁ ଡାକି ଗାଡ଼ି ପଛ ସିଟ୍ ରେ ବସେଇ ତା ଘର ଅଭିମୁଖେ ଗାଡ଼ି ଛୁଟେଇବାବେଳେ ଭାବୁଥିଲା ମିତୁ, ତାକୁ ପିଲାଦିନୁ ଏ ପର୍ଯ୍ୟନ୍ତ ମୋହାଚ୍ଛନ୍ନ କରି ରଖିଥିବା ଏ ବର୍ଷା ଅନ୍ୟ କାହାପାଇଁ କେଡ଼େ ନିଷ୍ଠୁର ସତେ!! ବୁଢୀକୁ ତା ଘରେ ଛାଡ଼ି ଦେଇ, ତା ହାତରେ କିଛି ଟଙ୍କା ଗୁଞ୍ଜିଦେଇ ଘରକୁ ଫେରିଥିଲେ ସମୀର ଆଉ ମିତୁ। ପୁରା ରାସ୍ତା କାଚୁଥିଲା ବର୍ଷା। ହେଲେ ମିତୁ ଆଉ ବାହାରକୁ ଚାହୁଁ ନଥିଲା। ଗୁମ୍ ସୁମ୍ ହେଇ ବସିଥିଲା ଆଖି ବୁଜି।

ସେଦିନୁ ଆଉ ସମୀର ମିତୁକୁ କେବେ ବର୍ଷା ହେଲେ ବାଲକୋନୀରେ ବସିବା ଦେଖିନି। ହଁ, ଏବେ ବର୍ଷା ଶବ୍ଦ ଶୁଣିଲା ମାତ୍ରେ କବାଟ, ଝରକା ବନ୍ଦ କରିଦିଏ ସେ।

ମିତୁର ଏ ଅଜବ ରୂପାନ୍ତରଣ ଦେଖି ସମୀର ଆଶ୍ଚର୍ଯ୍ୟ ହେଇଗଲେ ବି ଭାବନ୍ତି: ସେଦିନ ଏମିତିଆ ଦୈନନ୍ଦିନ ଘଟଣାର କିଛି ଦୃଶ୍ୟ ବୋଧେ ରାଜପୁତ୍ର ସିଦ୍ଧାର୍ଥଙ୍କୁ ଗୌତମ ବୁଦ୍ଧ କରି ଦେଇଥିଲା….

©Lipsa Panda

Leave a comment

Create a free website or blog at WordPress.com.

Up ↑