### ଭ୍ରମଣ କାହାଣୀ-ଉତ୍ତରାଖଣ୍ଡ- Do Dham- ଉପକ୍ରମଣିକା ###

କେଦାରନାଥ!!
ଇଏ କେବଳ ଗୋଟେ ଜାଗା, ଗୋଟେ ଜ୍ୟୋତିର୍ଲିଙ୍ଗ କି ଗୋଟେ ସାଧାରଣ ଶିବ ମନ୍ଦିର ନୁହେଁ। ଇଏ ହେଲା ମୋ ଭଳି କୋଟି କୋଟି ଭାରତୀୟଙ୍କର dream destination!
ଜୀବନରେ ଥରୁଟିଏ ହଉ ପଛେ କେମିତି ସେ ପୃଥିବୀର ସ୍ଵର୍ଗକୁ, କେଦାର ଘାଟିକୁ ଯାଇ ବାବା କେଦାରନାଥଙ୍କ ଦର୍ଶନ କରି ପାରିବି, ଏଇ ଆଶା ନେଇ ଲକ୍ଷ ଲକ୍ଷ ଲୋକ ଜିଇଁ ଥାଆନ୍ତି। ଅନେକ ନିଜ ଅସମ୍ପୂର୍ଣ୍ଣ ସ୍ଵପ୍ନ ସହ ଦୁନିଆଁରୁ ଚାଲି ବି ଯାଆନ୍ତି ସିନା, ସେଠିକି ଥରେ ଯିବା ସମ୍ଭବ ହୁଏନି ଜୀବଦ୍ଦଶାରେ।
ଠିକ୍ ସେଇଆ ଘଟିଥିଲା ମୋ ଅଜା, ଆଈଙ୍କ ସହ ।
ମୋ ପିଲାଦିନେ ସେମାନେ ଉତ୍ତର ଭାରତ ଭ୍ରମଣରେ ଯାଇଥିଲେ। ବିଭିନ୍ନ ଜାଗା ଦେଖି ଦେଖି ଯେତେବେଳେ ବଦ୍ରୀନାଥରେ ପହଞ୍ଚିଲେ, ସେତେବେଳକୁ ଦୁହିଁଙ୍କୁ ପ୍ରବଳ ଜ୍ଵର। ସମତଳ ଅଞ୍ଚଳରୁ ଯାଉଥିବା ଲୋକଙ୍କ ପାଇଁ ହିମାଳୟର ସେ ହିମ ଶୀତଳ ଜଳବାୟୁ ସମ୍ଭାଳିବା କଷ୍ଟକର ନିଶ୍ଚୟ। ତେଣୁ ଆଉ ନିଜ ରୁଗ୍ଣ ଶରୀର ସହ କେଦାରନାଥର ସେ difficult trek ରେ ଯିବା ତାଙ୍କ ପକ୍ଷେ ସମ୍ଭବ ହେଇ ନଥିଲା।
ଆଜି, 2024 ମସିହାରେ ଯେତେବେଳେ ସେ trek ଏତେ କଷ୍ଟସାଧ୍ଯ ମନେ ହେଉଛି, 1995 ମସିହା କଥା ନ କହିବା ଭଲ।
ତେବେ ସେମାନେ ମାସେ କାଳ ବିଭିନ୍ନ ତୀର୍ଥ ସ୍ଥାନ ବୁଲାବୁଲି ସାରି ଫେରିବା ପରେ ବି କେଦାରନାଥ ଯାଇ ପାରି ନଥିବାର ଦୁଃଖ ତାଙ୍କ ମନରେ ରହିଥିଲା। ତାଙ୍କଠୁ ବେଶୀ ସେଇ ଦୁଃଖ ମୁଁ ଅନୁଭବ କରିଥିଲି। କାରଣ ଏତେ ପାଖକୁ ଯାଇ ବି ସେମାନେ ବାବାଙ୍କ ଦର୍ଶନ କରି ନ ପାରି ଫେରି ଆସିବାକୁ ମୁଁ ସହଜରେ ଗ୍ରହଣ କରି ପାରୁ ନଥିଲି।

ଅବଶ୍ଯ ସେତେବେଳେ ସଂସାରର ସବୁ ଦାୟିତ୍ଵ ସାରି ବୁଢ଼ା ବୁଢ଼ୀ ହେଲା ବେଳେ ଲୋକ ତୀର୍ଥ କରିବାକୁ ଯାଉଥିଲେ, ଯେମିତିକି ସିଆଡ଼ୁ ଫେରି ନ ପାରିଲେ ବି ଆଉ ବିଶେଷ ଫରକ ପଡ଼ିବନି ପରିବାର ଉପରେ। ହେଲେ ସେ ଉତ୍ତର ବୟସରେ ଶରୀର ଆଉ ଦୁର୍ଗମ ରାସ୍ତା ଦେଇ ଚାଲିବା, ପାହାଡ଼ ପର୍ବତ ଚଢ଼ିବା ଅବସ୍ଥାରେ ନ ଥିବାରୁ ଲୋକେ ଅନେକ ଜିନିଷ ନ ଦେଖି ପାରି ଫେରି ଆସିବାକୁ ବାଧ୍ଯ ହଉଥିଲେ।
ତେଣୁ ମୁଁ ସେଇ ସମୟରେ ହିଁ ସ୍ଥିର କରିଥିଲି ମୁଁ ବୁଢ଼ୀ ହେଲାଯାଏଁ ଅପେକ୍ଷା କରିବିନି ତୀର୍ଥ ଭ୍ରମଣ ପାଇଁ। ନିହାତି ଚେଷ୍ଟା କରିବି ଗୋଡ଼ହାତ ଚଳୁ ଥିବା ବୟସରେ ହିଁ ମୋ ସ୍ବପ୍ନର ସ୍ଥାନ ସବୁ ବୁଲି ଆସିବାକୁ।

ବାହାଘର ପରେ ମୋ ସ୍ୱାମୀଙ୍କୁ ମୋ ଏ ଇଚ୍ଛା କଥା ଜଣେଇ ଦେଇଥିଲି। ତାଙ୍କୁ ସେତେ ବୁଲାବୁଲି ଭଲ ଲାଗେନି ବୋଲି ଜାଣି ପାରିଥିଲି, ଯେବେ ଜାଣିଲି ପେଣ୍ଠ ତାଙ୍କ ଘରଠାରୁ ମାତ୍ର 30 km ଦୂରରେ ଥାଇ ବି ସେ ଆମ ବାହାଘର ପରେ, ପ୍ରାୟ ତାଙ୍କୁ 32 ବର୍ଷ ବେଳକୁ ସେଇଠିକି ଗଲେ! 
ତେବେ ମୋ ସ୍ଵପ୍ନ ପୂରଣ ପାଇଁ ସେ କୁଣ୍ଠିତ ନ ହେଇ ସହଯୋଗ କରିବାଟା ମୋ ପାଇଁ ସୌଭାଗ୍ୟର କଥା ବୋଲି ମୁଁ ଭାବେ।

ମୁଁ ବି ଆଉ ଟିକେ ଢିଲା ହୁଅନ୍ତି କି କଣ, ହେଲେ ମୋ ଶାଶୁଙ୍କ ଅବର୍ତ୍ତମାନରେ ଆମ ଘରେ ରହି କାମଦାମ କରୁଥିବା ସ୍ତ୍ରୀ ଲୋକଟି ମତେ ପ୍ରତିଥର ଗାଁ କୁ ଯିବାବେଳେ ମନେ ପକେଇ ଦିଏ ମୋ ଶାଶୁଘରେ ଚାଲି ଆସୁଥିବା ଏକ ପରମ୍ପରା ବିଷୟରେ।
ତାଙ୍କ ଘରେ ସ୍ତ୍ରୀ ଲୋକ ମାନେ କାଳେ ବେଶୀଦିନ ବଞ୍ଚନ୍ତିନି!
So called ବିଶ୍ଵାସୀ ଲୋକଟି ସେ ଘରର ଇତିହାସ ବିଷୟରେ କହୁଚି ଯେତେବେଳେ, ସତ କହୁଥିବ ନିଶ୍ଚୟ ବୋଲି ଭାବେ ମୁଁ। ତେବେ କାହିଁକି କେଜାଣି ଘରର ଇତିହାସ ଆଳରେ ସେ ନିଜ ଭିତିରି ଇଚ୍ଛା ଗୋଟିକ ପ୍ରକାଶ କରୁଛି ମୋ ଆଗରେ ବୋଲି ମୁଁ ଅନୁଭବ କରେ।

ସେ ଲୋକର କଥାକୁ ବିଶ୍ବାସ କରି ଯେ ମୁଁ ଶୀଘ୍ର ମରିଯିବି, ତେଣୁ ତା ଆଗରୁ ସବୁ ଜାଗା ବୁଲି ଦେବି, ଏ କଥା କେବେ ଭାବି ନଥିଲି ଆଦୌ । ମାତ୍ର covid ସମୟରେ ଯେତେବେଳେ ଆଖ ପାଖର ଚିହ୍ନା ଲୋକ ମାନଙ୍କ ହଠାତ୍ ମୃତ୍ୟୁ ଖବର ମାନ ଶୁଣି ଶୁଣି ଏମିତିରେ shock ରେ ଥିଲି, ସେ ସମୟରେ ମୋ ନନାଙ୍କ ସାମାନ୍ୟ ପେଟ ଖରାପ ବୋଲି ଭାବୁଥିବା ରୋଗଟି ଆଗକୁ ଯାଇ ପରୀକ୍ଷା ନିରୀକ୍ଷା କରିବା ପରେ cancer ବୋଲି detect ହବାଟା ଶକ୍ତ ଧକ୍କା ଦେଇଥିଲା ମତେ। ଇଶ୍ୱରଙ୍କ କୃପାରୁ ରୋଗଟି initial stage ଥିବା ଯୋଗୁ operation ପରେ ମୋ ନନା ତ ସୁସ୍ଥ ହେଇଗଲେ, ହେଲେ ଜୀବନଟା ଯେ ପାଣି ଫୋଟକା ଭଳି କେତେବେଳେ ମିଳେଇ ଯିବ, ସେ ଧାରଣା ଦୃଢ଼ ହେଇଗଲା ମୋ ମନରେ। ତା ପରଠୁ ମୁଁ ବେଶୀ ବେଶୀ serious ହେଇ, ଆଉ ସମୟକୁ ଅପେକ୍ଷା ନ କରି, ନିଜ ଛୋଟ ବଡ଼ ସ୍ଵପ୍ନ ସବୁକୁ ସାକାର କରିବା ଚେଷ୍ଟାରେ ଲାଗି ପଡ଼ିଚି ଯଥା ଶୀଘ୍ର!

ସ୍ଵପ୍ନ କହିଲେ ଦୁର୍ବାର ଇଚ୍ଛା ମୋର, ଜୀବଦ୍ଦଶାରେ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ତଥା ଚାରିଧାମ ସମ୍ପୁର୍ଣ୍ଣ କରିବାକୁ। ସେ ଲକ୍ଷ୍ୟ ନେଇ ତିନି ଧାମ ଦର୍ଶନ ତଥା ଦଶଟି ଜ୍ୟୋତିର୍ଲିଙ୍ଗ ଦର୍ଶନ ସରିଥିଲା। ଏବେ ଇଚ୍ଛା ଥିଲା ଉତ୍ତରାଖଣ୍ଡର Do Dham, କେଦାରନାଥ ଏବଂ ବଦ୍ରୀନାଥ ବୁଲିଗଲେ ମୋର ଚାରିଧାମ ସାଙ୍ଗକୁ 11 ଜ୍ୟୋତିର୍ଲିଙ୍ଗ ଦର୍ଶନ ମଧ୍ଯ ସମ୍ପୂର୍ଣ୍ଣ ହେଇଯିବ। କିନ୍ତୁ ଗତ କିଛି ବର୍ଷ ହେଲା କେଦାରନାଥ ପାଇଁ ପ୍ଲାନ୍ କରି କରି କିଛି ନା କିଛି କାରଣରୁ ଶେଷ ମୁହୂର୍ତ୍ତରେ ପ୍ଲାନ୍ cancel ହେବା ଦେଖି ମନ ଦୁଃଖରେ ଥିଲି। ବାବା ଯେବେ ଡାକିବେ, ସେବେ ଯାଇ ତାଙ୍କ ଦର୍ଶନ ସମ୍ଭବ ବୋଲି ବାବାଙ୍କ ଆଗରେ ହାତ ଟେକି ଦେଇଥିଲି ମୁଁ କେବେଠୁ।

ହେଲେ ଏମିତି କୌଣସି ଶିବ ମନ୍ଦିର ନାହିଁ, ଯୋଉଠି ନନ୍ଦୀ କାନରେ ମୁଁ ନ କହିଛି ବାବାଙ୍କ ପାଖରେ ମୋ ପ୍ରାର୍ଥନା ପହଞ୍ଚେଇ ଦବାକୁ! କେବେ ତାଙ୍କ ଆଦେଶ ଆସିବ, ମତେ ତାଙ୍କ ଧାମକୁ ଯିବାକୁ ସୁଯୋଗ ମିଳିବ ବୋଲି ଚାତକ ଭଳି ଚାହିଁ ରହିଥିଲି।

ଗତ ବର୍ଷ Yatra vats team ସହ କାଶ୍ମୀର trip ପରେ ତାଙ୍କୁ ସିକ୍କିମ୍, Uttarakhand ର do Dham, meghalaya ଇତ୍ୟାଦି trip ରଖିବାକୁ suggest କରିଥିଲି। ସେମାନେ ବି customer feedback କୁ ଗୁରୁତ୍ୱର ସହ ନେଇ ୟା ଭିତରେ ସିକ୍କିମ୍ trip ରଖିଥିଲେ ଆଉ ଆମେ ତାଙ୍କ ସହ ସେ trip ସାରିଥିଲୁ ମଧ୍ଯ। ପୁଣି ଥରେ ସେତେବେଳେ ତାଙ୍କୁ ମନେ ପକେଇ ଦେଇଥିଲି, ଏଇ summer ରେ kapat ଖୋଲିବା ପରେ କେଦାରନାଥ, ବଦ୍ରୀନାଥ tour ରଖିବାକୁ।

ଯୋଗକୁ ସେମାନେ may 10 ରେ Kedarnath kapat ଖୋଲିବା ପରେ ପରେ may 15 ରୁ 19 ଯାଏଁ do dham trip plan ରଖିଥିଲେ। ଆମେ ତ ଏମିତିରେ ଚାତକ ଭଳି ଅପେକ୍ଷା କରି ରହିଥିଲୁ, ତାଙ୍କ plan ଜାଣିବା ମାତ୍ରେ ଆଗେ ଆମର ତିନୋଟି ସିଟ୍ book କରିଦେଲୁ।

ବାକି ତାଙ୍କର trip 15 ତାରିଖ,ବୁଧବାରରେ ହରିଦ୍ଵାରରୁ ଆରମ୍ଭ ହଉଚି ଜାଣିବା ପରେ, ଆମେ weekend ରେ travel କରି Monday, Tuesday ଦୁଇ ଦିନ ନିଜେ ନିଜେ ହରିଦ୍ଵାର, ରିଷିକେଶ ବୁଲିବୁ ଭାବି ଦିଲ୍ଲୀ ଯାଏଁ train ticket book କରିଦେଲୁ ।

ଏମିତିରେ କାଶ୍ମୀର, ସିକ୍କିମ୍ ବୁଲିବା ବେଳେ ଶୀତବସ୍ତ୍ର ସବୁ କିଣି ପକେଇ ଥିଲୁ। ତେଣୁ ଏବେ ଏ trip ପାଇଁ ସେଇ ଶୀତବସ୍ତ୍ର ସହ ବର୍ଷା ପାଇଁ ଆବଶ୍ୟକୀୟ ବସ୍ତ୍ର କିଛି ମିଶେଇ ପ୍ୟାକ୍ କରିବାକୁ ଥିଲା। Youtube ରୁ video ସବୁ ଦେଖି ଦେଖି ଯାହା ସବୁ ଦରକାରୀ ଜିନିଷ, ତାର ଲିଷ୍ଟ୍ ତିଆରି କରି ଧୀରେ ଧୀରେ ପ୍ୟାକ୍ କରି ରଖି ଅପେକ୍ଷା କଲୁ ଆମ ଯାତ୍ରା ଦିନ ପାଇଁ…

     …. କ୍ରମଶଃ

©Lipsa Panda

Leave a comment

Blog at WordPress.com.

Up ↑