### ଭ୍ରମଣ କାହାଣୀ-ଉତ୍ତରାଖଣ୍ଡ – Do Dham- Day 6-  Kedarnath Sightseeing, Return trek ###

ପୂର୍ବ ଲେଖାରେ ଲେଖିଥିଲି phata ଠୁ Kedarnath ଯାତ୍ରା ତଥା ଏ trip ର ମୁଖ୍ୟ ସ୍ଥାନ କେଦାର ବାବାଙ୍କର ଓ ଭୀମ ଶିଳା ଦର୍ଶନ ବିଷୟରେ।

ପୂର୍ବ ଦିନ ସେ ଲମ୍ବା ଯାତ୍ରା ପରେ ଏତେ ହାଲିଆ ହେଇ ଯାଇଥିଲୁ ଯେ, ବେଡ୍ ରେ ପଡ଼ିବା ମାତ୍ରେ ନିଦ ହେଇ ଯାଇଥିଲା। ଗତ ଦୁଇ ତିନିଦିନ ଧରି ଠିକ୍ ଭାବେ ଶୋଇ ପାରି ନ ଥିବାରୁ ଆଜି ଯେତେବେଳେ ନିଦ ଭାଙ୍ଗିବ, ଉଠିବୁ ବୋଲି alarm ନ ଦେଇ ଶୋଇ ଯାଇଥିଲୁ। ଏମିତିରେ ବାବାଙ୍କ ଦର୍ଶନ ତ ସରିଚି। ଆଉ ଚିନ୍ତା କଣ!

ସକାଳ 7 ଟା ବେଳକୁ ଅଚିନ୍ତା ନିଦ ଭାଙ୍ଗିଲା। ଉଠି ନିତ୍ୟକର୍ମ ସାରି ଆଗେ ମନ୍ଦିର ବେଢ଼ାକୁ ଗଲୁ। ସେଠି ପହଂଚି ଦିନ ଆଲୁଅରେ ଚାରି ପାଖର ଯୋଉ ଦୃଶ୍ୟ ଦେଖିଲୁ, ଆଖି ଝଲସି ଗଲା! ଗତକାଲି ତ ପ୍ରାୟ ଅନ୍ଧାର ହେଇ ସାରିଥିଲା। ଆଜି କିନ୍ତୁ
ସକାଳର ସୁନେଲି ସୂର୍ଯ୍ୟ କିରଣ ହିମାଳୟର ବରଫାବୃତ୍ତ ଶିଖର ମାନଙ୍କରେ ପଡ଼ି  ସୁନା ରଙ୍ଗର ଭ୍ରମ ସୃଷ୍ଟି କରୁଥାଏ। ଜଣେ ସେଠି ତାଙ୍କ ସାଙ୍ଗରେ ଥିବା ଲୋକଙ୍କୁ କହୁ ଥିବାର ଶୁଣିଲୁ: Kehte hain yahan Swarg se sidha hawa aati hai. କିନ୍ତୁ ସେ ଜାଗାକୁ ଦେଖି ଲାଗୁଥିଲା, ସ୍ଵର୍ଗ କଣ କିଛି ଅଲଗା ଜାଗା!  ଆମେ ନିଜେ ସ୍ଵର୍ଗରେ ହିଁ ତ ଅଛୁ! ଦେବାଧିଦେବ ମହାଦେବଙ୍କ ଦୁନିଆଁରେ! 

ଦର୍ଶନ ଧାଡ଼ିକୁ ଟିକେ ଆଖି ପକେଇ ଦେଖିଲୁ ପ୍ରାୟ ତିନି କିଲୋମିଟର ଯାଏଁ ଲୋକ ଧାଡ଼ି ବାନ୍ଧି ଠିଆ ହେଇଛନ୍ତି! ଦର୍ଶନ କରିବାକୁ କେତେ ଘଣ୍ଟା ଲାଗିବ କେଜାଣି! ଆମକୁ ଏପଟେ 10 ଟା ସୁଦ୍ଧା room ରୁ check out କରିବାର ଥିଲା । ତେଣୁ ଆଉ ବାବାଙ୍କ ଦର୍ଶନ ଧାଡ଼ିରେ ଠିଆ ନ ହେଇ ଭୈରବ ବାବାଙ୍କ ଦର୍ଶନ ପାଇଁ ଯିବାକୁ ଚାହିଁଲୁ। ଆମ ସାଙ୍ଗରେ ଥିବା ବାକି ସମସ୍ତେ ବି ସେଇଆ କହିଲେ। ତେଣୁ ଆଗେ hotel କୁ ଯାଇ ପେଟେ ଜଳଖିଆ(Poha, ପୁରି, ଆଳୁ ତରକାରୀ) ଖାଇ ନେଲୁ। ଆମ trip ରେ dinner, breakfast included ଥିଲା ।

ଜଳଖିଆ ଖାଇ ସାରି ଭୈରବ ବାବାଙ୍କ ମନ୍ଦିର ଅଭିମୁଖେ trek ଆରମ୍ଭ କଲୁ। 1 km ଉପରକୁ ଚଢିବାକୁ ଥିଲା। କିନ୍ତୁ Oxygen କମ୍ ଯୋଗୁ ସେ 1 km ବି କଷ୍ଟକର ଥିଲା!
ସେଠି ବି ଖଚର, pithu ମିଳୁଥିଲା। ଆମର ଆଜି କିନ୍ତୁ trek କରିବାର ଥିଲା। ତେଣୁ ଧୀରେ ସୁସ୍ଥେ ବସି ଉଠି ଉପରକୁ ଗଲୁ। ବେଶ୍ କିଛି ସମୟ ପରେ ଉପରେ, ମନ୍ଦିରରେ ପହଞ୍ଚିଲୁ ।

ଭୈରବ ନାଥ ହେଲେ କେଦାର ଘାଟିର କ୍ଷେତ୍ରପାଳ। ଘାଟି 6 ମାସ ଯେତେବେଳେ ବରଫରେ ଢାଙ୍କି ହେଇ ବନ୍ଦ ହେଇଯାଏ, କେଦାର ବାବା ତଳକୁ, Ukhimaath କୁ ଚାଲି ଯାଆନ୍ତି, ସେଇ ସମୟରେ ଘାଟିର ରକ୍ଷା କରନ୍ତି ଭୈରବ ବାବା, ଶିବଙ୍କ ମୁଖ୍ୟ ଗଣ!

ତାଙ୍କ ଦର୍ଶନ ସାରି ସେଇଠି ଟିକେ ଚାରି ପଟକୁ ଆଖି ବୁଲେଇଲୁ। କେଦାର ଘାଟିର top view, 360 degree view ଦିଶୁଥିଲା ସେଇଠୁ । ମନ୍ଦିରର ଉଭୟ ପାଖରେ ଉପରୁ ଝରି ଆସୁଥିବା ଦୁଇ ଝରଣା, Doodhganga ଓ Madhuganga ର ଦୃଶ୍ୟ ଚମତ୍କାର ଦିଶୁଥାଏ। ଲାଗୁଥାଏ ଯେମିତି ସ୍ଵର୍ଗରୁ ଖସି ଆସୁଚି ଦୁଇଟା ଯାକ ଝରଣା ବାବାଙ୍କ ଘାଟିକୁ ଟିକେ ଛୁଇଁବାକୁ!

ଖାଲି ଉପରର ଦୃଶ୍ୟ ନୁହେଁ, ତଳ valley ର ଦୃଶ୍ୟ ବି ଖୁବ୍ ମନୋଲୋଭା ଥିଲା। Valley ରେ ଫୁଟିଥିବା violet ରଙ୍ଗର ଛୋଟ ଛୋଟ ଅସଂଖ୍ୟ ଫୁଲ କେମିତି ଗୋଟେ ମାୟାନଗରୀର ଭ୍ରମ ସୃଷ୍ଟି କରୁଥିଲା!

କୁହାଯାଏ ଭୈରବ ବାବାଙ୍କ ଦର୍ଶନ ବିନା କେଦାରନାଥ ଦର୍ଶନ ଅସମ୍ପୁର୍ଣ୍ଣ! କିନ୍ତୁ ଏଠିକାର ଦୃଶ୍ୟ ଦେଖିଲା ପରେ ଲାଗିଲା, ଏ ଦୃଶ୍ୟ ନ ଦେଖିଲେ ସତରେ ଅଧା କିଛି ଛାଡ଼ିଯିବ ଜଣେ!

Helicopter ସବୁ ଗୋଟେ ପରେ ଗୋଟେ ଆସି helipad ରେ land କରିବା, takeoff କରିବାର ଦୃଶ୍ୟ ସେଇଠୁ ବେଶ୍ ସ୍ପଷ୍ଟ ଦିଶୁଥାଏ। ଦର୍ଶନ ଧାଡ଼ିର ଲମ୍ବା ସେଇଠୁ ଦେଖି ମୁଣ୍ଡ ଘୂରିଗଲା! ସମୟ ସହିତ ସେ ଧାଡ଼ି ବଢ଼ି ବଢ଼ି ଚାଲିଥିଲା! 

ସେଇଠୁ ଦର୍ଶନ ସାରି ତଳକୁ ଆସିଲା ବେଳେ ସାମ୍ନା ପାହାଡ଼ରେ ମୋଦୀଜୀ ଯୋଉ cave temple ଭିତରେ ତପସ୍ୟା କରିଥିଲେ 2019 ରେ, ତାକୁ ଦେଖିଲୁ।

ତଳେ Bhandara ଚାଲିଥିବା ଦେଖି ସେଠି ମିଳୁଥିବା upma ଆଣି ଖାଇଲୁ । ଏବେ ଚାଲିଲୁ ମନ୍ଦିର ପଛ ପାଖରେ ନିର୍ମାଣାଧୀନ Shankaracharya Statue ପାଖକୁ।

Inauguration ବେଳେ live telecast ହେଇଥିଲା, ତେଣୁ ସମସ୍ତେ ସେ ମୂର୍ତ୍ତୀ ଟିଭିରେ ଦେଖିଥିବେ ବୋଲି ଆଶା। କଳା ମୁଗୁନି ପ୍ରସ୍ତରରେ ନିର୍ମିତ ଖୁବ୍ ସୁନ୍ଦର ମୂର୍ତ୍ତୀ। ମୂର୍ତ୍ତୀ ପାଖକୁ ଯିବା ରାସ୍ତାରେ ମନ୍ତ୍ର ସବୁ ଲେଖା ହେଇଚି। ଭାରି ଭଲ ଲାଗିଲା ସେଠି ଗୁରୁଦେବଙ୍କୁ ଦର୍ଶନ କରି।

ସେଇଠୁ ଫେରି ଆଉ ଥରେ ଭୀମ ଶିଳା ଦର୍ଶନ କଲୁ। ଧାଡ଼ିରେ ଠିଆ ହେଇ ଅମୃତ କୁଣ୍ଡରୁ ପାଣି ଆଣିଲୁ ବୋତଲରେ। 20/- ନଉଥିଲେ ସେଠି ବାବାଙ୍କ ପାଦୁକ ଦବାପାଇଁ।
ଶେଷ ଥର ପାଇଁ ମନ୍ଦିରକୁ ସ୍ପର୍ଶ କରି ବାବାଙ୍କୁ ମୁଣ୍ଡିଆ ମାରି ଦେଇ ରୁମ୍ କୁ ଫେରିଲୁ।

ଜିନିଷ ପତ୍ର ପ୍ୟାକ୍ କରି ଫେରିବାକୁ ବାହାରିଲୁ। Return journey ଆମର trek କରିକି ଯିବାର ଥିଲା। ତେଣୁ ଜୋତା କାଦୁଅ ନ ହବା ପାଇଁ କିଣିଥିବା shoe cover ପିନ୍ଧି ବାହାରିଲୁ। ଝିଅ 22 km ଚାଲିବା ସମ୍ଭବ ଲାଗୁ ନଥିଲା । ତେଣୁ ତାକୁ pithu (ଯାହା ଆମକୁ ସବୁଠାରୁ safe ଲାଗୁଥିଲା) ରେ ଛାଡ଼ିବୁ ବୋଲି ସ୍ଥିର କରିଥିଲୁ।

ରାସ୍ତାରେ Retas kund ପଡ଼ିଲା, ଯୋଉଠି ଶିବଙ୍କ କୌଣସି ଗୋଟିଏ ନାଁ ନେଲେ ବି ପାଣିରୁ ଫୋଟକା ମାନ ଉଠେ। ଜୋତା ଖୋଲି ଯିବାକୁ ପଡ଼ିବ । ଆମେ ଏମିତି pack ହେଇ ଥିଲୁ ଯେ, ଆଉ shoe cover, shoes ସବୁ ଖୋଲି ପାଖକୁ ଗଲୁନି। ଝିଅ ତା ଜୋତା ଖୋଲି ପାଖକୁ ଯାଇ ଜୟ ଭୋଲେନାଥ, ନମୋ ଶିବାୟ ଇତ୍ୟାଦି କହି ଫୋଟକା ଉଠିବା ଦେଖିଲା। ଆମେ ଟିକେ ଦୂରରୁ ସେସବୁ ଦେଖି ମୁଣ୍ଡିଆ ମାରିଲୁ।

ଏବେ pithu book କରିବା ଜାଗାକୁ ଆସିଲୁ। 300/- govt  receipt କାଟିଲା ପରେ pithu ବାଲା ଜଣେ ଦୁଇଜଣ ସହ କଥା ହେଇ 2700/- fix ହେଲା ରେଟ୍। ଝିଅ ଓଜନ କମ୍ ବୋଲି କମ୍ rate ରେ ରାଜି ହେଇଗଲେ। ଘୋଡ଼ା rate return journey ପାଇଁ 2000/-.କିନ୍ତୁ ଆସିଲା ବେଳର ଅନୁଭବ ଯାହା, ଆମେ ଚାଲି ଚାଲି ଯିବା ବେଶୀ prefer କରି ଥାନ୍ତୁ!

ଚାଲିବା ଆରମ୍ଭ କଲୁ ତ pithu ବାଲା ଦୌଡ଼ିବା ଭଳି ଲାଗିଲା ଆମକୁ। ଆମେ କେବେ ବି ତା speed ସହ match କରି ପାରିବୁନି ବୋଲି ଜାଣି ପାରିଲୁ। ତେଣୁ ଆମ group ର ସବୁଠୁ young ପିଲାଟି pithu ସହ ଚାଲିଲା। ଆଉ ଆମେ ପଛରେ ଆମ normal speed ରେ ଚାଲିଲୁ ।
ଆଜି ବି ଚାଲିବା ଠୁ କାନ୍ଧର ବ୍ୟାଗ୍ ବେଶୀ କଷ୍ଟ ଦଉଥିଲା ଆମକୁ । 50/- ଦେଇ ଠେଙ୍ଗା କିଣିବାକୁ ବି ମିଳୁ ନ ଥିଲା ସେଠି। ଯିଏ କିଣି ଥିବ, ସେ ଫେରିବା ପାଇଁ ବି ତ ରଖିବ!

ଧୀରେ ଧୀରେ ଚାଲିବା ଭିତରେ ଆମେ ଦୁଇଜଣ ହିଁ ସବୁଠାରୁ ପଛରେ ରହିଗଲୁ। ତଳକୁ ଓହ୍ଲେଇବା ବେଳକୁ ନଖ ଜୋତାରେ ମାଡ଼ ହେଇ ଖୁବ୍ କଷ୍ଟ ଲାଗୁଥାଏ। Pithu ବାଲାଙ୍କୁ ଦେଖି କିଛି ଜାଗାରେ shortcut ଭିତରକୁ ଯାଇ ଦେଖିଲୁ ସେ ରାସ୍ତା ବେଶୀ dangerous! ଖାଲି ଘୋଡ଼ା ନଥାନ୍ତି ବୋଲି ସେପଟେ ପଶି ଯାଉଥାନ୍ତି ଅନେକ।

ରାସ୍ତାରେ ଆସିବା ବେଳକୁ ବିଭିନ୍ନ ପ୍ରକାରର accident ଦେଖି ଦେଖି ଆସୁଥାଉ। ସବୁଠାରୁ ବଡ଼ accident ଦେଖିଲୁ badi lincholi ଠି ଖାଇବାକୁ ଅଟକିଲା ବେଳେ । ରାସ୍ତା କଡ଼ରେ ଦୋକାନରେ Dal, rice (100 ଥିଲା ଏଠି) ଖାଉଚୁ, ରାସ୍ତାରେ ଯାଉଥିବା ଘୋଡ଼ା ତା ମାଲିକକୁ ହିଁ ଗୋଟେ ନାତ ମାରିଲା। ସେ ନାତଟି ଯାଇ ସିଧା ମାଲିକର testicle ରେ ବାଜିଲା। ଲୋକଟି ସେଇ ରାସ୍ତାରେ ସିଧା ଗଡ଼ି ପଡ଼ି ଏମିତି ଛଟପଟ ହେଲା ଯେ, ଆମେ ଭୀଷଣ ଡରିଗଲୁ ତା ଅବସ୍ଥା ଦେଖି! ପୋଲିସ୍ ଆସି ଗୋଟେ pithu ଉପରେ ଲୋକଟିକୁ ବସେଇ ନିକଟସ୍ଥ Health camp କୁ ନେଇକି ଗଲା । ଆମେ ଆଉ ଖାଇବୁ କଣ! ପଇସା ଦେଇ ବାହାରି ଆସିଲୁ ସେଇଠୁ।

କିଛି ଦୂର ଯାଇଛୁ କି ନାଇଁ ବର୍ଷା ଆରମ୍ଭ ହେଇଗଲା। Raincoat ପିନ୍ଧି ଧୀରେ ଧୀରେ ଚାଲୁଥାଉ। ଝିଅ ସାଙ୍ଗରେ ଯାଉଥିବା ପିଲାଟିକୁ ମଝିରେ ମଝିରେ ଫୋନ୍ କରି ଜାଣିଥାଉ ସେମାନେ ବେଶ୍ ଆଗକୁ ପଳେଇ ଗଲେଣି। Chhoti lincholi ପରେ Rambada ଯାଏଁ ଥିବା ପାଦଚଲା ରାସ୍ତା ଧରିଲୁ ଘୋଡ଼ା ନଥିବେ ସେ ରାସ୍ତାରେ ବୋଲି। କିନ୍ତୁ ସେପଟେ ବି ଘୋଡ଼ା ଧରି କିଛି ଆସୁଥିଲେ। ତେବେ ସଂଖ୍ୟା କମ୍ ଯୋଗୁ ଟିକେ ଶାନ୍ତିରେ ଚାଲୁଥିଲୁ।

Rambada ଠି ମନ୍ଦାକିନୀ ବ୍ରିଜ୍ cross କଲା ବେଳକୁ ବର୍ଷା ଛାଡ଼ିଗଲା। Shoe cover ଛିଣ୍ଡି ସାରିଥାଏ । ମୁଁ ବ୍ୟାଗ୍ ରେ ନେଇଥିବା extra chapal କାଢ଼ି ପିନ୍ଧି ଦେଲି । ଜୋତା ଗୋଡ଼କୁ ଖଣ୍ଡିଆ କରି ସାରିଥିଲା ସେତେବେଳକୁ।

ଯେତେ ଯେତେ ଆଗକୁ ବଢ଼ୁ ଥାଉ, ଗୋଡ଼ numb ହେଇ ଚାଲିଥାଏ। ଲାଗୁଥାଏ ଆଉ ଉଠିବନି ଆଗ step ପାଇଁ। ଏବେ ଖଣ୍ଡେ ଦୂର ଯାଇ ଟିକେ ବସୁ ଥାଉ ରାସ୍ତା କଡ଼ରେ ଥିବା bench ମାନଙ୍କରେ । ବୋର୍ଡ଼ ରେ gaurikund 4 km ଦେଖି ଅଧା ଘଣ୍ଟା ପରେ ଗୁଡ଼ାଏ ରାସ୍ତା ଆସି ଗଲୁଣି ଭାବିଲା ବେଳକୁ, ଆଖିରେ 3.5 km ଲେଖା ହେଇଥିବା ବୋର୍ଡ଼ ପଡ଼େ। ରାସ୍ତା ଯେମିତି ଅସରନ୍ତି!

ଆମେ jangal chatti ପାଖରେ ପହଞ୍ଚିବା ବେଳକୁ ଝିଅ ଆଉ ସେ ପିଲା gaurikund ପହଞ୍ଚି ଗଲେ ବୋଲି ଜଣେଇଲେ। ଟିକେ ଆଶ୍ୱସ୍ତ ହେଲୁ ଆମେ! ଝିଅ ପାଖରେ ପହଞ୍ଚିବାକୁ ଏବେ ପାଦକୁ ଘୋଷାଡ଼ି ଘୋଷାଡ଼ି ଟିକେ ଶୀଘ୍ର ଯିବାକୁ ଚେଷ୍ଟା କଲୁ।

Ghoda padav ପରେ ଟିକେ ଶାନ୍ତିରେ ନିଶ୍ବାସ ନେଇ ତଳକୁ ଚାଲିଲୁ। ଏବେ ଖାଲି pithu, ପାଲିଙ୍କି ଆଉ ପାଦଚଲା ଲୋକ!

କଷ୍ଟେ ମଷ୍ଟେ ଆସି gaurikund gate ପାଖରେ ପହଞ୍ଚି ଖୁସି ହେଇଗଲା ବେଳକୁ, ଆଗରେ ସେ narrow ରାସ୍ତାରେ ପୁରା jam! ମାତ୍ର ଅଧା କିଲୋମିଟର ଦୂରରେ ଝିଅ। କିନ୍ତୁ ଧାଡ଼ି ଆଗକୁ ବଢ଼ୁନି ଆଦୌ । ଉପରକୁ ଯିବା ଲୋକେ ଧକ୍କା ଦେଇ ମାଡ଼ି ଚାଲୁଥାନ୍ତି। ତାଙ୍କ ଯୋଗୁ stampede ଭଳି ଅବସ୍ଥା ଆମ ଫେରିବା line ରେ । ପୋଲିସ ପ୍ରଶାସନ କରୁଛି କଣ ଭାବି ବ୍ୟସ୍ତ ଲାଗୁଥାଏ। ସେମିତି ଅବସ୍ଥାରେ ପ୍ରାୟ ଘଣ୍ଟାଏ କାଳ ବ୍ୟାଗ୍ ଧରି ଠିଆ ହେଇ ରହିବା 22 km trekking ଠୁ ବେଶୀ କଷ୍ଟ ଦେଲା!

ପ୍ରାୟ ଘଣ୍ଟାଏ ପରେ ଧୀରେ ଧୀରେ ଗୋଟେ ଧାଡ଼ି କରି ଲୋକେ ନିଜେ ଆଗକୁ ବଢ଼ିବାକୁ ଲାଗିଲେ। ଝିଅ ପାଖରେ ଆସି ପହଞ୍ଚିଲା ବେଳକୁ 7 ଟା! ସେମାନେ ଅପେକ୍ଷା କରି ବସିଥିବା ଦୋକାନରେ ଟିକେ ଲେମ୍ବୁ ପାଣି ପିଇ ସାଷ୍ଟାଙ୍ଗ ହେଲୁ। ସେତିକିରେ ଚାଲିବା ଦୁଃଖ ସରି ନଥିଲା! ଏବେ ସେଇଠୁ ଧାଡ଼ିରେ ଠିଆ ହେଲୁ ଦୁଇ କିଲୋମିଟର ତଳେ ଥିବା sumo stand ପାଇଁ।

ଏଠି ବି ଆମେ ଧାଡ଼ିରେ ଠିଆ ହେଲା ବେଳେ ଅମାନିଆ ଲୋକ ଦଳ ଦଳ ହେଇ ଆଗକୁ ମାଡ଼ି ଯାଇ sumo ରେ ବସି ପଳେଇ ଯାଉଥାନ୍ତି। କିଛି ଧାଡ଼ି ମଝିରେ ପଶି ଯାଉଥାନ୍ତି ନିର୍ଲଜ୍ଜ ହେଇ, ପଛ ଲୋକଙ୍କ ହୋ ହାଲ୍ଲା କୁ ଖାତିର୍ ନ କରି!
ପ୍ରାୟ ଘଣ୍ଟାଏ ପରେ sumo stand ରେ ପହଞ୍ଚି ଗାଡ଼ିରେ ବସିଲୁ ଶେଷକୁ! ପାଦକୁ ଟିକେ ଆରାମ୍ ମିଳିଲା।

Sonprayag ଠି sumo ରୁ ଓହ୍ଲେଇ ପୁଣି 1 km ଚାଲି ଚାଲି taxi stand ଠି ପହଞ୍ଚିଲୁ । ଭାଗ୍ୟକୁ ଆମ ଡ୍ରାଇଭର୍ କାଲି ସୁବିଧା ଦେଖି sitapur ଠୁ ଆସି ଏଇଠି ଗାଡ଼ି park କରି ଦେଇଥିଲା! ଏବେ ଗାଡ଼ିରେ ବସିଲୁ 9.30pm ବେଳକୁ । 15 km ରାସ୍ତା, ଅଧା ଘଣ୍ଟାରେ ପହଞ୍ଚି ଯିବୁ ଭାବିଥିଲୁ।
କିନ୍ତୁ ନା! ଦୁଃଖ ସରି ନଥିଲା ସେଯାଏଁ! ପୁରା ରାସ୍ତା ଜାମ୍!
ଗାଡ଼ିର ଚକା ଗଡ଼େଇ ଗଡ଼େଇ ଆମ hotel ରେ ଆସି ପହଞ୍ଚିଲା ବେଳକୁ ରାତି 12.30!

Hotel ମାଲିକ ଆମ ପାଇଁ ଖାଇବା ready କରି ରଖିଥିଲେ ଯା ହଉ। ଆଉ ଉପରକୁ dining room କୁ ଖାଇବାକୁ ଯିବାକୁ ଗୋଡ଼ରେ ଶକ୍ତି ନଥିଲା। ଦୁଇ ପଟ ଲେଖାଏଁ ରୁଟି ସହ ତରକାରୀ ରଖି ଥାଳୀଟି ମାନ room ରେ ଦେଇ ଯିବାକୁ କହିଲୁ ତ ସେ ରାଜି ହେଇଗଲେ ଆରାମରେ। ଆମ ପାଦ ଫୁଲା ଦେଖି ଦୟା ଆସିଥିବ ତାଙ୍କୁ ନିଶ୍ଚିତ! ପୁଣି ସେ ବି ଅଭ୍ୟସ୍ତ ଥିବେ ଏଭଳି ଅବସ୍ଥାରେ ଫେରନ୍ତା ଯାତ୍ରୀଙ୍କୁ ଦେଖି ନିଶ୍ଚୟ!

ଯାହା ତାହା କରି dinner ସାରି, pain killer ଗୋଟେ ଲେଖାଏଁ ଖାଇ ବେଡ୍ ରେ ପଡ଼ିଗଲୁ ସମସ୍ତେ। କାଲି ସକାଳେ ନିଦ ଯେତେବେଳେ ଭାଙ୍ଗିବ, ଦେଖାଯିବ!
କେମିତି କେତେବେଳେ ଶୋଇଲୁ କେହି ଜାଣି ସୁଦ୍ଧା ପାରିଲୁନି…

    …. କ୍ରମଶଃ

©Lipsa Panda

Leave a comment

Blog at WordPress.com.

Up ↑