କାଲି ଗୀତଟିଏ ଶୁଣିଲି ଗାଁ ଉପରେ। ଗୀତଟି ଫେରେଇ ନେଲା ମତେ ମୋ ଗାଁ କୁ। ଗାଁରେ କଟିଥିବା ମୋ ପିଲାଦିନ ମନେ ପଡ଼ିଗଲା । ଏମିତିରେ କାଲି ଥିଲା ମାତୃଦିବସ। ଗାଁ, ମାଟି ମା’ କଥା ବେଶୀ ଝୁରିହେଲା ମନ ।
ବେଶ୍ କିଛି ଦିନ ହେଇ ଗଲାଣି ଗାଁ ଛାଡ଼ିବା। ହେଲେ ଏବେ ବି ଆଖି ବୁଜି ବସିଲେ ମନେ ପଡ଼ିଯାଏ କିଛି ଝାପ୍ସା ଦୃଶ୍ୟ। ଆଉ କେଜାଣି କାହିଁକି ଗାଁ ର ଶୀତ ଦିନିଆ ଅନୁଭବ ବେଶୀ ମନେ ପଡ଼େ। ସେଇ ଦୃଶ୍ୟ ସବୁକୁ ଲେଖି ବସିଲେ ବୋଧେ କିଛି ଏମିତି ହେବ…
ମୋ ଗାଁ!
ମେଞ୍ଚାଏ ସ୍ବପ୍ନିଳ ଅନୁଭୂତିର ସମାହାର…
ମୋ ଗାଁ ର ସକାଳ ବେଶ୍ କୁହୁଡ଼ିଆ।
ପୁଷ ମାସର ଧୂଆଁଳିଆ ମାଛି ଅନ୍ଧାରରେ ନିଆଁ ଜାଳି, ସେଇ ନିଆଁରେ ହାତ ସେକି ସେକି ଢିଙ୍କିଶାଳ ଠୁ ଢେଙ୍କାନାଳ ଯାଏଁ ଚର୍ଚ୍ଚା କରି କରି ଶୀତକୁ ଦୂରକୁ ଠେଲିଦେଇ ଆରମ୍ଭ ହୁଏ ସେଠି ଦିନ।
ମୁଢ଼ି ଭୁଜା ଖାଇ ଦେଇ ଗୃହସ୍ଥମାନେ ବିଲକୁ ସଜ ହେବା ଆଉ
ପିଲାମାନେ ବସ୍ତାନି ଧରି ଟିଉସନ ଯିବାକୁ ସଜ ହେବାର ସକାଳ।
ଚୂଲିରେ ବସିଥିବା ଭାତହାଣ୍ଡିରୁ ଭାତ ଆଉ ତରକାରୀ କଡ଼େଇରୁ ତରକାରୀ ଥାଳିକୁ ଢଳା ହେଉଥିବା ଡହଡହ ତତଲା ଦଶଟା ବେଳ।
ଦିନ ଗୋଟାଏ ରେ ହଳ ଧରି ବିଲରୁ ଫେରୁଥିବା ବାପା କକା ସହ ସ୍କୁଲ ଫେରନ୍ତା ପିଲାର ଖାଇ ଛୁଟିର ସମୟ।
ଚାରିଟା ବାଜୁ ବାଜୁ ସ୍କୁଲ୍ ଘଣ୍ଟି ଶବ୍ଦରେ ଅତର୍ଚ୍ଛା ଦୌଡ଼ି ଆସି ନାକ କାନରେ କିଛି ପୁରେଇ ଗାଁ ଦାଣ୍ଡରେ ଧୂଳି ଧୂସରିତ ହେବାର ଅପରାହ୍ନ।
ନୂଆ ନୂଆ କୈଶୋରରେ ପାଦ ଥାପିଥିବା କୋମଳ କଳିକା ପାଇଁ ଶୀତୁଆ ପବନରେ ଆମ୍ବ ବଉଳର ବାସ୍ନା ସହ ଚୋରା ଚିଠି ନେଇ ଆସୁଥିବା ଆସନ୍ନ ମୁହଁ ସଂଜର ବିହ୍ୱଳିତ ମୁହୂର୍ତ୍ତ।
ଗାଁ ମୁଣ୍ଡ ମନ୍ଦିରରୁ ବାଜୁଥିବା ଘଣ୍ଟ ଘଣ୍ଟା ଶବ୍ଦ ସହ ତୁଳସୀ ଚଉରା ମୂଳେ ସଂଜବତୀ ଜାଳି ସୁଲକ୍ଷଣୀ ବୋହୂଟିର ଘରର ଶୁଭ ମନାସି ମଥା ନୁଆଇଁବାର ସଞ୍ଜ।
ଲଣ୍ଠନ ଜାଳି ପଢ଼ି ବସି, ଖାଇସାରି ଚୂଲି ମୁଣ୍ଡେ ହାତ ଉଷୁମେଇ ଜେଜେମା ଠୁ ରଜାପୁଅ ବୁଢ଼ୀ ଅସୁରୁଣୀ ଗପ ଶୁଣୁ ଶୁଣୁ ଢୁଳେଇ ପଡ଼ିବାର ରାତି।
ଦଉଡ଼ିଆ ଖଟ ତଳେ ଉହ୍ମେଇ ଜାଳି କନ୍ଥା ଘୋଡ଼ି ହେଇ ଦିନଯାକର ହାଡ଼ ଭଙ୍ଗା ଖଟଣି ପରର ଅବଶ ଦେହ ଲୋଟେଇ ଦେଇ ଘୁଙ୍ଗୁଡ଼ି ମାରିବାର ମାଘ ମାସର ବାଘ ପରି ଜାଡ଼ ରାତି।
ଆଗାମୀ କାଲିକୁ, ପୁଣି ଗୋଟେ ନୂଆ ଦିନକୁ ସ୍ଵାଗତ କରିବାର ସୁନେଲୀ ସ୍ଵପ୍ନରେ ବିତି ଯାଉଥିବାର ପାହାନ୍ତା ପ୍ରହର…
© Lipsa Panda
#lipilekhaa #ଲିପିଲେଖା