ପୂର୍ବ ଲେଖାରେ ଲେଖିଥିଲି Kedarnath Sightseeing, ଆଉ phata ଯାଏଁ return trek ବିଷୟରେ।
ଆଜି ସକାଳେ ଆଖି ଖୋଲିଲା ପ୍ରାୟ 7 ଟା ବେଳେ। ଗଲାକାଲି ଅପେକ୍ଷା ଆଜିକୁ ପାଦ ଭୀଷଣ ଭାବେ ଫୁଲି ଯାଇଥାଏ। ଦେହର ସବୁ ଜାଗାରେ pain! ଜଙ୍ଘ ଭୟଙ୍କର ପୀଡ଼ାରେ ଆଉ ଉଠୁ ନଥାଏ।
ଆଜି ଆମକୁ ଜଳଖିଆ ଖାଇଦେଇ Badrinath ବାହାରି ଯିବାର ଥିଲା। ନିତ୍ୟକର୍ମ ସାରି dining room ରେ ଯାଇ ଜଳଖିଆ ଖାଇଲୁ। Alu paratha, poha ଥିଲା ଜଳଖିଆରେ । ଖାଇସାରି ରୁମ୍ କୁ ଆସି ବ୍ୟାଗ୍ ପତ୍ର ପ୍ୟାକ୍ କରି ଦେଇ ବାହାରି ପଡ଼ିଲୁ 9 ଟା ସୁଦ୍ଧା ।
ଫେରିବା ରାସ୍ତାରେ ବି ଭୟଙ୍କର ଭିଡ଼! ମାତ୍ର 188 km ଯିବାର ଥିଲା ଆମକୁ। 6.30 hrs ଲାଗିବା କଥା। କିନ୍ତୁ ଏ jam ରୁ ମୁକୁଳି ପାରିଲେ ତ! Ukhimath ଠୁ Badrinath ଦିଗକୁ ମୋଡ଼ିଲା ଯାଏଁ full jam ଥିଲା । ତା ପର ରାସ୍ତା ଟିକେ ଫାଙ୍କା ଲାଗିଲା। କିନ୍ତୁ ପୂରା ଅଣଓସାରିଆ ରାସ୍ତା। ତଳର ଖାଇ ଭୟଙ୍କର ଦିଶୁଥାଏ। Chopta valley ଦେଖାଗଲା ତ ପୁଣି jam ଲାଗିଲା। ଆମେ ଆଉ ସେଠି ଅଟକି ଟିକେ valley view ଦେଖିବାକୁ ସାହସ କରି ପାରିଲୁନି। ସେପଟେ Badrinath ପହଞ୍ଚିବାକୁ ଡେରି ନ ହେଇ ଯାଉ! ଆଜି ହିଁ ସମୟ ହେଲେ ଦର୍ଶନ ସାରିଦବୁ ବୋଲି ଇଚ୍ଛା ଥିଲା।
ରାସ୍ତାରେ ତୁଙ୍ଗନାଥ ଯିବାକୁ gateway ବି ଦେଖିଲୁ । ସେଇ ଗାଡ଼ିରୁ ମୁଣ୍ଡିଆ ମାରି ଦେଇ ଆଗକୁ ବଢ଼ିଲୁ।
ରାସ୍ତାରେ ଗୋଟେ hotel ଦେଖି lunch ପାଇଁ ରହିଲୁ ପ୍ରାୟ 3 ଟା ବେଳେ। ରୁଟି(10), ମଟର ପନୀର(half:100), Dal fry(half: 90) ଖାଇଲୁ । ସେ hotel ବାହାରେ ଗୋଟେ mulberry ଗଛ ଦେଖି, ସେଥିରୁ ପାଚିଲା କୋଳି ତୋଳି ଖାଇଲୁ।
ଗୋପେଶ୍ଵର ଠୁ Badrinath route ଧରିଲୁ ତ ରାସ୍ତା ଟିକେ ଓସାରିଆ ତଥା better condition ର ଦେଖିଲୁ । କିନ୍ତୁ ଏଠି ଗୋଟେ ପାଖରେ ପାହାଡ଼ ରାସ୍ତା ଉପରକୁ ଝୁଲି ରହିଥିବା ଓ ଅନ୍ୟ ପାଖରେ Alaknanda ର ଗଭୀର ଖାଇ ମନରେ ଭୟ ସଞ୍ଚାର କରୁଥାଏ। ଏପଟେ ବି jam ହଉ ଥାଏ। କିନ୍ତୁ ଅଳ୍ପ ସମୟ ଭିତରେ ପୁଲିସ ଆସି clear କରି ଦଉଥାନ୍ତି । କିଛି କିଛି distance ରେ police ମାନେ ଠିଆ ହେଇଥାନ୍ତି। କେଦାରନାଥ ପଟୁ ଏପଟେ crowd management ଟିକେ better ବୋଲି ଲାଗୁଥିଲା!
ମହାଦେବଙ୍କ ଦୁନିଆଁରୁ ନାରାୟଣଙ୍କ ଦୁନିଆଁରେ ପ୍ରବେଶ କରୁଥିଲୁ ଆମେ। ରାସ୍ତା କଡ଼ରେ ବାଇଗଣୀ ରଙ୍ଗର ଫୁଲ ଭର୍ତ୍ତି ଗଛ ମାନ ସ୍ଵାଗତ କରୁଥିଲେ ଆମକୁ।
Joshi math ଠି ଟିକେ ଚା ପାଣି ପାଇଁ ଅଟକିଲା ବେଳକୁ ସନ୍ଧ୍ୟା ହେଲାଣି। ସେଇଠୁ ଆଉ ଦେଢ଼ ଘଣ୍ଟାର ରାସ୍ତା। କିନ୍ତୁ traffic jam ଯୋଗୁ କେତେବେଳେ ପହଞ୍ଚିବୁ ତା’ର ଠିକ୍ ଠିକଣା ନଥାଏ । ସେପଟେ 9 ସୁଦ୍ଧା ନ ପହଞ୍ଚିଲେ ମନ୍ଦିର ବନ୍ଦ ହେଇଯିବ।
ଯାହା ଡର ଥିଲା, ସେଇଆ ହେଲା । 9.30pm ବେଳକୁ ପହଞ୍ଚିଲୁ ଆମେ । ଆଉ ତ ଏବେ ମନ୍ଦିର ଖୋଲା ନଥିବ, ତେଣୁ ଶୀଘ୍ର ଶୋଇ ପଡ଼ିଲେ କାଲି ରାତି ତିନିଟାରୁ ଉଠି ଦର୍ଶନ କରିବୁ ଭାବି, dinner ଖାଇ ଦେଇ ଶୋଇ ପଡ଼ିଲୁ ସମସ୍ତେ ।
ପରଦିନ plan ଅନୁସାରେ ରାତି ତିନିଟା ରୁ ଉଠି ଶୀଘ୍ର ଶୀଘ୍ର ନିତ୍ୟକର୍ମ ସାରି ମନ୍ଦିରକୁ ବାହାରିଲୁ। ମାତ୍ର 500 meter ଦୂରରେ ମନ୍ଦିର । ଦୂରରୁ continuously change ହଉଥିବା light ପଡ଼ି ମନ୍ଦିରର ଦୃଶ୍ୟ ବେଶ୍ ସୁନ୍ଦର ଦିଶୁଥିଲା।
Counter ରୁ registration number ଦେଖେଇ ଦର୍ଶନ chit ନେଇ ଧାଡ଼ିରେ ଲାଗିବାକୁ ଗଲୁ। ଏତେ ରାତିରୁ ଆସିଚୁ ଯେତେବେଳେ, ଶୀଘ୍ର ଦର୍ଶନ ମିଳିଯିବ ବୋଲି ଭାବିଥିଲୁ। କିନ୍ତୁ ସେଠି ପହଞ୍ଚି ଯାହା ଦେଖିଲୁ, ମୁଣ୍ଡ ଘୂରିଗଲା!
ଧାଡ଼ି ପ୍ରାୟ 2 କିଲୋମିଟର ଯାଏଁ ଲମ୍ବିଛି! ଗୋଟେ ଦୋକାନରେ ଜୋତା ରଖି ଦେଇ ଶେଷ ମୁଣ୍ଡ ଯାଏଁ ଚାଲି ଚାଲି ଗଲାବେଳେ ଦେଖିଲୁ ଲୋକମାନେ ଧାଡ଼ିରେ ଭୂଇଁରେ ବସିଛନ୍ତି। ଏମିତି କାହିଁକି ବସିଛନ୍ତି ବୋଲି ପଚାରି ଜାଣିଲୁ, କାଲି ରାତିରୁ ହିଁ ଏମାନେ ଏଇଠି line ରେ ବସିଛନ୍ତି! ଧାଡ଼ି ଆଗକୁ ବଢୁ ନଥାଏ। ପୁଣି ଆଗ ପଟୁ ଆସି ଲୋକେ ପଶି ଯିବାକୁ ଚେଷ୍ଟା କରୁଥାନ୍ତି ସେ ଧାଡ଼ିରେ! ସେମାନଙ୍କ ଉପରେ ଚିଲ୍ଲେଇ ଉଠୁଥାନ୍ତି ରାତିରୁ ଆସି ଏତେ କଷ୍ଟରେ ଧାଡ଼ିରେ ଅପେକ୍ଷା କରିଥିବା ଲୋକେ।
ମନ୍ଦିର ବୋଧେ ଖୋଲି ନଥିଲା କିମ୍ବା କିଛି ପୂଜା ପାଇଁ ଦର୍ଶନ ବନ୍ଦ ଥିଲା। ପ୍ରାୟ ଅଢ଼େଇ ଘଣ୍ଟା ସେଇ ଗୋଟିଏ ଜାଗାରେ ଠିଆ ହେଇ ରହିବା ପରେ ପାଦେ ପାଦେ କରି ଆଗକୁ ବଢ଼ିଲୁ। ସେଠି ଠିଆ ହେଇ ହେଇ ଗୋଡ଼ କାଟିଲେ, ଲୁହା railing ଉପରେ ମାଙ୍କଡ଼ ଭଳି ଟିକେ ଲଟକି ରହିବାକୁ ପଡ଼ୁଥିଲା!
ସେଠି ଗୋଟେ ତପ୍ତ କୁଣ୍ଡ ଥାଏ, ଯୋଉଠି ଗାଧୋଇ ଲୋକେ ବଦ୍ରି ନାରାୟଣଙ୍କ ଦର୍ଶନ କରନ୍ତି। ମାତ୍ର ଆମେ ଡେରି ହେଇଯିବ ବୋଲି ଆଉ ସିଆଡ଼େ ନ ଯାଇ ଲାଇନ୍ ରେ ଲାଗିଥିଲୁ। କିନ୍ତୁ ତା ପରେ ବି ଏତେ ପଛରେ ଠିଆ ହବାକୁ ପଡ଼ିଲା! ସେ ପୁଣି ପ୍ରବଳ ଥଣ୍ଡାରେ! Shed ଥିଲେ ବି ପାହାଡ଼ରୁ ବୋହି ଆସୁଥିବା ପବନ ରକ୍ତକୁ ପାଣି କରି ଦଉ ଥାଏ।
ସକାଳ ପାଇବା ପରେ ଧାଡ଼ିରେ ଥାଇ ଚାରିପାଖର ଦୃଶ୍ୟକୁ ଦେଖି
ବିମୋହିତ ହେଲୁ। ଚାରି ପଟେ ବରଫ ଘେରା ସୁଉଚ୍ଚ ହିମାଳୟ। ଗୋଟେ ପାଖରେ Alaknanda ର ଘୁ ଘୁ ଶବ୍ଦରୁ ସ୍ରୋତ କେତେ ପ୍ରଖର ବୋଲି ଅନୁମାନ କରି ହଉଥାଏ। ସୂର୍ଯ୍ୟ ଉଦୟ ହେଲେ ତ କଅଁଳ ଖରା ପର୍ବତ ଶିଖର ଉପରେ ପଡ଼ି ବରଫ ସବୁ ଚିକ୍ ମିକ୍ କରିବାକୁ ଲାଗିଲା। କାଲିର କଷ୍ଟ ସାଙ୍ଗକୁ ଆଜିର ଏ ଦୀର୍ଘ ପ୍ରତୀକ୍ଷାର କଷ୍ଟ ସେ ସୁନ୍ଦର ଦୃଶ୍ୟକୁ ଦେଖି ଟିକେ କମିଲା ଭଳି ଲାଗିଲା।
ଏମିତି ଧୀରେ ଧୀରେ ଧାଡ଼ିରେ ଆଗକୁ ବଢ଼ି ବଢ଼ି ମନ୍ଦିର ପାଖରେ ପହଞ୍ଚିବା ବେଳକୁ 10 ଟା! ସେଇଠୁ ପାହାଚରେ ଚଢିବା ବେଳକୁ ପୋଲିସ ଥାଇ ବି ପ୍ରବଳ ଠେଲା ପେଲା। ଏତେ ସମୟ ଧରି ଧାଡ଼ିରେ ଠିଆ ହେଇ ରହିଥିବା ଲୋକେ, ଆଉ କିଛି ସମୟ ଧର୍ଯ୍ଯ ଧରି ନ ପାରି ଠେଲାପେଲା କରିବା ଦେଖି ରାଗ ଲାଗୁଥାଏ। ଛୁଆ ପାଇଁ ବେଶୀ ଚିନ୍ତା। ପଡ଼ିଗଲେ ଦଳା ଚକଟାରେ ପ୍ରାଣ ଯିବ ଆଗେ! ପଛ ଲୋକଙ୍କୁ ଠେଲି ରଖି ଛୁଆକୁ ସୁରକ୍ଷିତ ରଖିବା ଚେଷ୍ଟାରେ କେତେବେଳେ କେମିତି କେମିତି ଯାଇ ମନ୍ଦିର ଭିତରେ ପହଞ୍ଚି ଗଲୁ।
ହେଲେ ଆଗରେ ଠିଆ ହେଇଥିବା ଲୋକଙ୍କ ଯୋଗୁ ମୁଁ ଠାକୁରଙ୍କୁ ଦେଖି ପାରୁ ନଥାଏ। ସିଆଡ଼େ ଭିତରେ ଥିବା ପୋଲିସ୍ ବାହାରକୁ ଯିବାକୁ ଠେଲୁଥାଏ। ମୁଁ ତାକୁ ବିକଳରେ request କରୁଥାଏ ମୁଁ ଠାକୁରଙ୍କ ମୁହଁ ଦେଖିନି ଏଯାଏଁ ବୋଲି। ଏତିକି ବେଳେ ମୋ ସ୍ୱାମୀ ଝିଅକୁ ଟେକି ଦେଖେଇ ସାରି, ମତେ ଟେକି ଧରିଲେ, ଆଉ ମୁଁ ମୋ ସାମ୍ନାରେ ବିରାଜମାନ ବଦ୍ରୀ ବିଶାଳଙ୍କୁ ଦର୍ଶନ କରି ପାରିଲି।
ମୁଁ ଫେରି ଯାଉଥିଲି କିଛି ବର୍ଷ ତଳକୁ।
ନିର୍ବନ୍ଧ ପରେ ପରେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଇଚ୍ଛା କରିଥିଲି ବୋଲି ମୋ ସ୍ୱାମୀ ମତେ ନେଇ ଯେତେବେଳେ ପୁରୀ ଯାଇଥିଲେ, ସେଠି ବି ଠିକ୍ ଏମିତି ଭିଡ଼ରେ ଠାକୁରଙ୍କୁ ଦେଖିବାକୁ struggle କରୁଥିଲା ବେଳେ ମତେ ଉଠେଇ ମହାପ୍ରଭୁଙ୍କ ଦର୍ଶନ କରେଇ ଦେଇଥିଲେ ସେ। ଆଉ ଆଜି ଏଠି ବଦ୍ରିନାରାୟଣଙ୍କ ଦର୍ଶନ କରେଇ ମୋର ଚାରିଧାମ ସମ୍ପୂର୍ଣ୍ଣ କରେଇ ଦେଲେ। ଆଉ ଅଧିକ କଣ ବା ମାଗିବି ମୁଁ ଈଶ୍ୱରଙ୍କୁ!!
ମନ୍ଦିରରୁ ବାହାରି ବାହାରକୁ ଗଲା ବେଳକୁ ଜଣେ ପଛ ପାଖ ଦେଇ ଅନ୍ୟ ଏକ ଦ୍ୱାରରେ ଯାଇ ଠାକୁରଙ୍କୁ ଦେଖି ହଉଚି ବୋଲି କହିଲେ ତ ସିଆଡ଼େ ଧାଇଁଲୁ ଆମେ । ଏଠି ଟିକେ ଦୂରରୁ ଦେଖା ଯାଉଥିଲେ ବି ଆସ୍ଥାନ ଟି ଉଚ୍ଚ ଥିବାରୁ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲେ ନାରାୟଣ। ଧାଡ଼ିରେ ରହି ଦୁଇ ତିନିଥର ଯାଇ ମନ ଶାନ୍ତି ହେଲାଯାଏଁ ଦେଖିଲୁ ଠାକୁରଙ୍କୁ। ତା ପରେ ମନ୍ଦିର ବେଢ଼ାରେ କିଛି ଫଟୋ ଉଠେଇବା ପରେ ଅନ୍ୟ ପାର୍ଶ୍ବ ଦେବାଦେବୀଙ୍କ ଦର୍ଶନ କଲୁ। ପ୍ରାୟ ଏଗାରଟା ବେଳକୁ ବାହାରକୁ ଆସିଲୁ। ସେତେବେଳକୁ ଭିଡ଼ ଆହୁରି ବଢ଼ିବା ସହିତ ଧାଡ଼ି ଖୁବ୍ ଲମ୍ବା ହେଇ ଯାଇ ଥିବାର ଦିଶୁଥିଲା।
ତେଣୁ ଆଉ ତପ୍ତ କୁଣ୍ଡ ନ ଯାଇ ରୁମ୍ କୁ ଫେରି ଆସିଲୁ। ହୋଟେଲ୍ ରେ ଜଳଖିଆ ଖାଇ ଦେଇ ରୁମ୍ କୁ ଆସି packing ଆରମ୍ଭ କରିଦେଲୁ । ଅନ୍ୟମାନେ ଆସିବା ପରେ check out କରି ଗାଡ଼ିରେ ବାହାରିଲୁ Mana village, the first village of India କୁ ।
Mana ଯିବା ରାସ୍ତାରେ ଏବେର ଦର୍ଶନ ଧାଡ଼ିଟି ଦେଖି ପାରୁଥିଲୁ। Shed ଯୋଉଠି ସରୁଛି, ତା ପରେ ବି ପ୍ରାୟ 4 km ଯାଏଁ ଧାଡ଼ି ଲମ୍ବିଥିଲା ଗହୀର ମଝିରେ। ଏମାନେ ଆଜି ଦର୍ଶନ କରି ପାରିବେ କି ନାଇଁ ବୋଲି ସନ୍ଦେହ ହଉଥିଲା ଆମର!
ଆମ ଭାଗ୍ୟ ଭଲ, ଆମେ 7 hrs ଠିଆ ହେଇ ହଉ ପଛେ, ଦର୍ଶନ ତ କରି ପାରିଲୁ!
Glacier କାଟି ରାସ୍ତା ତିଆରି ହେଇଥିଲା। ଗାଡ଼ି ପାର୍କିଂ ଜାଗାରୁ ଉପରକୁ ଚାଲି ଚାଲି ଯିବାକୁ ଥିଲା କିଛିବାଟ। Mana ଗାଁ ଅତିକ୍ରମ କରି ଉପରକୁ ଗଲେ ସରସ୍ଵତୀ ନଦୀର ଉଦ୍ଗମ ସ୍ଥଳୀ, ବ୍ଯାସ ଗୁମ୍ଫା, ଗଣେଶ ଗୁମ୍ଫା ଇତ୍ୟାଦି ଦେଖିବାକୁ ଥାଏ। ଏଠି oxygen level କମ୍ ଯୋଗୁ ଖୁବ୍ କଷ୍ଟ ଲାଗୁଥାଏ ଉପରକୁ ଉଠିଲା ବେଳକୁ।
ରାସ୍ତାର ଦୁଇ ପାଖରେ local ଦୋକାନୀ ମାନେ ଶୀତ ବସ୍ତ୍ରର ଦୋକାନ ସାଙ୍ଗକୁ Snacks ଦୋକାନ ମାନ କରିଥାନ୍ତି। ଗୋଟେ point ରୁ ଦୁଇଭାଗ ହେଇଥିବା ରାସ୍ତାରେ ଗୋଟେ ପଟେ ଆଗକୁ ଗଲୁ ସରସ୍ଵତୀ ନଦୀର ଉତ୍ପତ୍ତି ସ୍ଥଳ ଯାଏଁ। ସେଇଠୁ ଆଗକୁ ରାସ୍ତା ପଡ଼ିଥିଲା ଆହୁରି ଆଗକୁ, ଆଉ ଲେଖାଥିଲା ପାଣ୍ଡବଙ୍କ ସ୍ୱର୍ଗାରୋହଣ ରାସ୍ତା।
ଆମେ ଆଉ ଉପରକୁ ନ ଯାଇ ସରସ୍ଵତୀ ନଦୀ ଉତ୍ପତ୍ତି ସ୍ଥଳ ଆଡ଼କୁ ଗଲୁ। ସେଠି ଗୋଟେ view point ଉପରେ ଠିଆ ହୋଇ ମା ସରସ୍ଵତୀଙ୍କ ସ୍ଵଚ୍ଛ, ନିର୍ମଳ ନୀଳ ଜଳ ଧାରା ପ୍ରଖର ବେଗରେ ଆସି ତଳେ ଅନ୍ୟ ଦିଗରୁ ବୋହି ଆସୁଥିବା Alaknanda ନଦୀ ସହ ମିଶୁ ଥିବାର ଦେଖିଲୁ। ଉପରେ ଭିମ ଶିଳା ଦୁଇ ଭୂଖଣ୍ଡ କୁ connect କରୁଥିବାର ବି ଦେଖିଲୁ।
ତଳେ ଗୋଟିଏ ସୁନ୍ଦର ମନ୍ଦିରରେ ମା ସରସ୍ଵତୀଙ୍କ ଅତ୍ୟନ୍ତ ସୁନ୍ଦର ମୂର୍ତ୍ତୀ ଦେଖି ତୃପ୍ତ ହେଇଗଲା ମନ।
ଏବେ ଆମେ ଗଙ୍ଗା, ଯମୁନା ଓ ସରସ୍ଵତୀ ତିନିଟି ଯାକ ପବିତ୍ର ନଦୀ ଦର୍ଶନ କରି ସାରିବାର ସନ୍ତୁଷ୍ଟି ଅନୁଭବ କରୁଥିଲୁ।
India’s first cafe (ଆଗରୁ last cafe ଥିଲା) ଠି ଚା, ସିଙ୍ଗଡା ଖାଇଲୁ । 20/- each. ଫେରିବା ରାସ୍ତାରେ woolen cap କିଣିଲୁ 100/- ଦେଇ ।
ଗଣେଶ ଗୁମ୍ଫା, ଯୋଉଠି ବସି ଗଣେଶ ମହାଭାରତ ଲେଖିଥିଲେ, ବ୍ଯାସ ଗୁମ୍ଫା, ଯୋଉଠି ବ୍ଯାସ ଦେବ ମହାଭାରତ ଡାକିଥିଲେ, ଉଭୟ ଅନ୍ୟ ପଟେ ଥିଲା। ଆମେ କେବଳ ଗଣେଶ ଗୁମ୍ଫା ଦର୍ଶନ କରି ଫେରି ଆସିଲୁ। ବ୍ଯାସ ଦେବ ଗୁମ୍ଫା ବହୁତ୍ ଉପରେ ଥିବାରୁ, ସିଆଡ଼େ ଯିବାକୁ ଆଉ ଦେହରେ ବଳ ନଥିଲା।
ଗାଡ଼ି ପାଖକୁ ଫେରିଲା ବେଳକୁ ଅନ୍ୟମାନେ ଆସି ସାରିଥିଲେ। ସେଇଠୁ ଆମକୁ ସିଧା ହରିଦ୍ଵାର ଫେରିବାର ଥିଲା । ରାସ୍ତାରେ Karnaprayag ଦେଖିବା ସହ ଆମର ପଞ୍ଚ ପ୍ରୟାଗ ଭିତରୁ 4 ଟି ପ୍ରୟାଗ ଦେଖିବା ସମ୍ପୂର୍ଣ୍ଣ ହେଇଗଲା। କେବଳ ନନ୍ଦ ପ୍ରୟାଗ ଭିତରକୁ ଥିବାରୁ, ସେଇ ଗୋଟିକ ବାକି ରହିଗଲା
ରାତି 9/10 ସୁଦ୍ଧା ହରିଦ୍ଵାର ପହଞ୍ଚିବା ଜାଗାରେ, ଆମେ ପହଞ୍ଚିଲୁ ରାତି 2 ଟା ବେଳେ। ସକାଳ 9 ଟା ରେ ଆମ return flight ଥିଲା ଦିଲ୍ଲୀରୁ। ତେଣୁ ଆଉ ବସ୍ ରେ ଆସିବା ପାଇଁ ଅପେକ୍ଷା ନ କରି, ସେଇଠୁ Uber book କରି ସିଧା Delhi airport ରେ ପହଞ୍ଚିଲୁ 7. 30 ସୁଦ୍ଧା । 4000/- ନେଲା cab price. ସେଇଠୁ flight ରେ ଆସି ଘରେ ପହଞ୍ଚିଲୁ ଦିନ 2 ଟା ବେଳେ। ଖାଇବା order କରି ଖାଇ ଦେଇ ଶୋଇଲୁ ଯେ ସିଧା ଉଠିଲୁ ରାତି 9 ଟା ବେଳକୁ! ଏମିତି ଲମ୍ବା ସମୟ କେବେ ରାତି ଅନିଦ୍ରା ହେଇ ନାଚ, ଯାତ୍ରା ଦେଖିବା ପରେ ବି ମୁଁ ଶୋଇ ନଥିଲି ଜୀବନରେ! ସେଇଥିରୁ ଶରୀର କେତେ କ୍ଲାନ୍ତ ବୁଝି ପାରୁଥିବେ!!
ଏମିତି ଭାବେ ଆମର ଏ do dham ର କଷ୍ଟପ୍ରଦ, କ୍ଲାନ୍ତି ଦାୟକ କିନ୍ତୁ ରୋମାଞ୍ଚକର, ଦିବ୍ୟ, ଅଲୌକିକ ଯାତ୍ରା ସମାପ୍ତ ହେଲା। ତା ସହ ମୋର ଚାରିଧାମ ସହ ଏଗାର ଜ୍ୟୋତିର୍ଲିଙ୍ଗ ଦର୍ଶନ ମଧ୍ଯ ସମ୍ପୂର୍ଣ୍ଣ ହେଲା।
ସମାପ୍ତ
©Lipsa Panda