ଜହ୍ନ ବିନା ପୂର୍ଣିମା

ଆଜି ସିନା ଜହ୍ନ ନାହିଁ ପୂର୍ଣିମାରେ
କାଲି ପରା ପୁଣି ସେ ଫେରିବ
ଆଜିର ଏ ଅମା ଅନ୍ଧକାର
କାଲି ସଞ୍ଜେ ଆଉ କି ରହିବ?

ହୃଦୟ ମୋ କିନ୍ତୁ ବଡ଼ ସୁକୁମାର
ଏକଥା ଟା ମନେ ରଖିଥିବ
ମନ ଥରେ ଭାଙ୍ଗିଗଲେ ପ୍ରିୟତମ
ଆଉ ତାକୁ ଯୋଡ଼ି କି ପାରିବ!!!

### ମୋ ଗେହ୍ଲିର ଗପଶୁଣା ###

ଝିଅଟି ମୋର ନିଇତି ରାତିରେ ଗପ ଗୋଟେ ଗୋଟେ ଶୁଣେ
ଗପଟିଏ ଶୁଣି ସେଇ ଗପ କଥା ମନେ ମନେ ତାର ଗୁଣେ

ପିଲା ଥିଲା ଯେବେ ପଶୁ ପକ୍ଷୀ ଆଉ ଭୂତ ଗପ କହୁଥିଲି
ତିନି ବରଷର ହେଇ ଗଲା ଯେବେ ପୁରାଣ ଆରମ୍ଭ କଲି

ପାଞ୍ଚ ବରଷର ହେବାରୁ ମୋ ଝିଅ କହିଲି ଏବେକା କଥା
ଇନ୍ଦିରା, କଳ୍ପନା, ପ୍ରତିଭା, ମିତାଲି, ଦୂତୀଙ୍କ ଗୌରବ ଗାଥା

ନିତି ଦିନ ଗୋଟେ ନୂଆ ନାଁ ଦେଇ ଡାକୁଥାଏ ତାକୁ ମୁହିଁ
ଗୁଲୁରି, ଟିଂଗିରି, କଣ୍ଢେଇ, ଗେହ୍ଲେଇ, ଫୁଲେଇ କି ଅବା ଚୁଇଁ

ଏମିତି ଦିନେ ଡାକୁ ଡାକୁ ମୁଁ ରାଧା ରାଣୀ ଡାକିଦେଲି
ଚମକେଇ ଦେଇ କହିଲା ସେ ମତେ ଏମିତି ଡାକ୍ ନା ବୋଲି

କହିଲା ମତେ ସେ “ରାଣୀ ଲକ୍ଷ୍ମୀବାଈ ଡାକିଲେ ଖୁସି ମୁଁ ହେବି”
ଭାବିଲି ମନରେ ଠାକୁରଙ୍କ ପାଖେ ନଡ଼ିଆଟେ ବାଡ଼େଇବି

ଛୋଟ ଛୁଆ ଭାବି କହୁଥିଲି ତାକୁ ଗପଟିଏ ଭଳି ଖାଲି
ଜୀବନର ଶିକ୍ଷା ପାଉଛି ସେଥିରୁ ଏ କଥା କି ଜାଣିଥିଲି!!

### ଫିସ୍ ସ୍ପା (Fish spa) ###

ମଲ୍ ଯାଇଥିଲି ବୁଲି
ଫିସ୍ ସ୍ପା ଟେ ଦେଖିଲି
ଘଡିଏ ଚାହିଁ ରହିଲି
କଣ ହଉଚି ବୋଲି
ବୁଝିଲି,
ମାଛ ସବୁ ଆସି ଗୋଡ଼ରୁ ମଇଳା
କରି ଦଉଚନ୍ତି ଖାଲି

ରେଟ୍ କେତେ ପଚାରିଲି
ଅଧା ଘଣ୍ଟାକୁ ପାଁଶହ ଟଙ୍କା
ଶୁଣି ମୁଣ୍ଡେ ହାତ ଦେଲି
ଭାବିଲି,
ଗଲା ମାସରେ ଗାଁ କୁ ମୋର
ବୁଲି ମୁଁ ଯାଇଥିଲି

ନଦୀ ଆଡ଼େ ଗଲି ଚାଲି
ଥଣ୍ଡା ପାଣିରେ ଗୋଡ଼କୁ ବୁଡ଼େଇ
ଦି’ ଘଣ୍ଟା ବସିଥିଲି
ପାଦ ହେଇଥିଲା ନାଲି
ଏବେ ଯାଇ ବୁଝିଲି
ଗାଁ ନଦୀ ମାଛ ଫ୍ରି ରେ ତେବେ
ସ୍ପା କରିଥିଲେ ବୋଲି…

ବନ୍ଧନ ମୁକ୍ତି

ଶାନ୍ତ ସୁଧାର ତଟିନୀରେ ସିନା ବନ୍ଧ ବାନ୍ଧିବା ସମ୍ଭବ,
ପାହାଡ଼ି ଝରଣା ପ୍ରଖର ସ୍ରୋତ କି ବନ୍ଧ ବାଡ଼ କିଛି ମାନିବ!
ଏଇମିତି ଦିନେ ଐରାବତ ହସ୍ତୀ ହୋଇଥିଲା ମଦମତ୍ତ
ପରମ ପାବନୀ ଭାଗୀରଥୀ ତା’ର ଗର୍ବ କରିଥିଲେ ଚ୍ୟୁତ।
ଉଷ୍ମ ଲହୁର ଉଦ୍ଦାମ ଧାରା ସୃଷ୍ଟି କରୁ ନୂଆ ବିପ୍ଳବ,
ଗୁରୁଜନଙ୍କ ଆଶୀର୍ବାଦ ହେଉ ଶିବ ଜଟା ପରି ବିଭବ।

ସୁପ୍ତ ଓଡ଼ିଆ

ଓଡ଼ିଆ ଜାତି ଟା ଶୋଇକି ରହିଛି କେଞ୍ଚିବା ନିହାତି ଜରୁରୀ
କେମିତି ବି ହେଲେ ନିଦ ଭାଙ୍ଗିବା ଆସ ହେ ଜାଗ୍ରତ ପ୍ରହରୀ
କରନାହିଁ ଜମା ଡେରି,
ନେଡ଼ିଗୁଡ଼ ଥରେ କହୁଣୀ କୁ ଗଲେ ପାରିବନି ଆଉ ଫେରି..

ବୋଉ ଓ ମୋ କ୍ଳାନ୍ତି

ସମୁଦ୍ର ନିକଟବର୍ତ୍ତୀ ପବନ ଚାଳିତ ପଙ୍ଖା ପରି
ସଦା ସର୍ବଦା ଘୁରୁଥିବା ମୁଁ
କାହିଁକି କେଜାଣି ଘରେ ପାଦ ଦବା ପରେ
ଅଚାନକ କ୍ଲାନ୍ତ ହେଇ ପଡ଼େ…

ଉପାସିଆ ଦେହ ଟାରେ ମୋ ପାଇଁ
ଛ ତିଅଣ ନ ଭଜା କଲାବେଳେ
ଗୁପଚୁପ ବାଲା ର ହାତ କୁ ଆଖି ବୁଜିଦେଲା ଭଳି
ମୁଁ ଦେଖି ସୁଦ୍ଧା ଅଣଦେଖା କରେ…

ମୋ ବୟସ ଟା ବଢିଯାଇଛି ବୋଲି
ପ୍ରତି କ୍ଷଣ ଅନୁଭବ କରେ
ହେଲେ ତା ଆଗରେ ବୟସଟା ହାର୍ ମାନିଛି
ନିର୍ଲଜ୍ଜ ଯୁକ୍ତି ଟେ ମୋ ମନ କୁ ଘାରେ…

ମୋ ବୋଉ

ମୋ ବୋଉ ମୋ ଘରକୁ ଆସିଲା..

ଦୁର୍ଦ୍ଦିନରେ ବାଙ୍କୀ ଯାଇଥିବା ଅଣ୍ଟାକୁ ମୋର ସଳଖିଦେଲା

ଦୁର୍ବଳ ହେଇ ପଡ଼ିଥିବା ମନକୁ ମୋର ବୁଝେଇ ଦେଲା

ମନ ଜାଣି ଖୁଆଇଲା, ବେଳ ଥାଉ ଶୁଆଇଲା

ମୁଁ ଯେ ଦିନେ ତାର ଅଲିଅଳି ରାଜକୁମାରୀ ଥିଲି, ମନେ ପକେଇ ଦେଲା…

“ବାପା ମା’ ମାନେ ଖାଲି ପୁଅ ପାଇଁ” ମୋ ମନ ତଳେ ଦିକ୍ ଦିକ୍ ଜଳୁଥିବା

ଏ ଅଭିମାନର ନିଆଁରେ ମୁଠେ ପାଣି ଛିଞ୍ଚି ଦେଲା

ସଞ୍ଜରେ ଘରକୁ ଫେରନ୍ତା କ୍ଲାନ୍ତ ଅବଶ ଦେହକୁ ମୋର ଆଉଁସି ଦେଲା

ସ୍ନେହବୋଳା ପଣତକାନିରେ ମୋ ମୁହଁ ପୋଛିଦେଲା…

କାଲି ବୋଉ ମୋ ଘର ଛାଡ଼ି ତା ଘରକୁ ଚାଲିଯିବ,

କାଲିଠୁ ଫେର୍ ତା’ ଗେହ୍ଲି ଝିଅଟା ଗୋଟେ ଦାୟିତ୍ୱବାନ ମା’ ପାଲଟିଯିବ

ଦିନେ ଦୁଇ ଦିନ ବୋଉକୁ ଝୁରିବ,

ଫେର୍ ନିଜ ତେଲ ଲୁଣର ସଂସାରରେ ହଜିଯିବ…
[Published earlier in StoryMirror]

ସ୍ମୃତି

ସ୍ମୃତି
ନିର୍ଜନ ବେଳାର ସାଥୀ
ବୈଶାଖର ଡହ ଡହ ଖରା ତାତି
ଜ୍ୟୋତ୍ସ୍ନା ବିଧୌତ ରାତି
ଫଗୁଣର ରଙ୍ଗୀନ ପ୍ରଜାପତି
କୋଇଲିର କୁହୁକୁହୁ ମଧୁଗୀତି
ନବଯୌବନା କିଶୋରୀର ଗୋପନ ପ୍ରୀତି
ଶିତୁଆ ସଞ୍ଜର ଦିକ୍ ଦିକ୍ ଜଳନ୍ତା ବତୀ
ପହିଲି ଆଶାଢ଼ର ବର୍ଷାଭିଜା ଗାଁ ମାଟି
ପ୍ରେମିକାର ଆଦ୍ୟ ଚୋରା ଚିଠି
ଲୁପ୍ତପ୍ରାୟ ମହାନ ରାଜକୀୟ କୀର୍ତ୍ତି
ପାହାଡ଼ି ଝରଣାର ସ୍ରୋତସ୍ୱିନୀ ଗତି
ସଦ୍ୟ ପରିଣିତାର ପରିପାଟି
ସାଗର ବେଳାର ଶାମୁକାର ମୁକ୍ତାଟି
ପଦ୍ମପତ୍ର ଉପରେ ଢଳଢଳ କାକର ମୋତି
ମାଟି କୁଡ଼ିଆର ଚିତା ଝୋଟି ।

(Published earlier in ameodia.com)

ନାରୀ ମୁଁ…

ନାରୀ ମୁଁ…
ନାରାୟଣୀ ନୁହେଁ…
ମତେ ଦେବୀ ବନେଇ ଦିଅନି ।
ମହାନତାର ଆଢୁଆଳରେ
ଯେତେ ସବୁ ନିଜର ଅବାସ୍ତବ ଅସୁମାରୀ ଆଶାକୁ
ମୋ ଉପରେ ଲଦି ଦିଅନି ।

ରକ୍ତ ମାଂସ ରେ ଗଢ଼ା ଶରୀର ମୋର,
ତାକୁ ନିର୍ଜୀବ ନିଷ୍ପ୍ରାଣ ବୋଲି ଭାବି ନିଅନି।
ଜନନୀ ଭଗିନୀ ଜାୟା ଆଦି
ଭାରୀ ଭାରୀ ଶବ୍ଦ ତଳେ ଚାପି ଦିଅନି ।
ମୋର ସ୍ଵର କୁ ଘରର ଚାରିକାନ୍ଥ ମଧ୍ୟରେ
କବର ଦିଅନି।
ବାରମ୍ବାର ପରିବାର ପ୍ରତି କର୍ତ୍ତବ୍ୟର ଦ୍ୱାହିଦେଇ
ବେଡ଼ରୁମ ଥାକର ଶୋ ପିସ୍ ବନେଇ ଦିଅନି ।

ମୁଁ ଗୃହପାଳିତ ପଶୁ ଟିଏ ନୁହେଁ,
ନିଜ ପାଇଁ କିଛି ସମୟ ସାଇତିବାକୁ
ମୋର ସ୍ବାର୍ଥପରତାର ଆଖ୍ୟା ଦିଅନି ।

କଣ କହିବି, କଣ ଲେଖିବି, କଣ ପିନ୍ଧିବି,
କେମିତି ଚଳିବି ଇତ୍ୟାଦିର
ମୋ ପାଇଁ ସ୍ଥିରୀକୃତ ଲକ୍ଷ୍ମଣରେଖା ଡେଇଁ ଗଲେ
ମୋର ସ୍ୱେଚ୍ଛାଚାରିତାର ଡିଣ୍ଡିମ ପିଟନି…

ମତେ ସ୍ନେହ ଦିଅ, ମୁଁ ପ୍ରେମ ଦେବି।
ମତେ ସମ୍ମାନ ଦିଅ, ମୁଁ ଯୋଗ୍ୟ ଉତ୍ତରାଧିକାରୀ ଦେବି।
ମତେ ସ୍ଵାଧୀନତା ଦିଅ, ମୁଁ ତୁମରି ବଂଶ ପାଇଁ
କାଳ କାଳ ପାଇଁ ନାଁ ରଖିଯିବି…

[Published earlier in StoryMirror]

Blog at WordPress.com.

Up ↑