### ଭ୍ରମଣ କାହାଣୀ- କୁଟୁଣିପଦର -କୋରାପୁଟ ###

ମୋର ଭ୍ରମଣ କାହାଣୀ ସବୁ ପଢ଼ି ବହୁତ୍ ଜଣ ପଚାରନ୍ତି ଆମେ ଏତେ ଲମ୍ବା ରାସ୍ତା ଗାଡ଼ିରେ ଯାଉ କେମିତି ଆଉ କାହିଁକି!
“କେମିତି” ର ଉତ୍ତର ହେଲା ସେଇଟା ନିଜ ନିଜ stamina ଉପରେ ନିର୍ଭର କରେ।
“କାହିଁକି” ର ଉତ୍ତର ହେଲା ଆମେ ଆମ journey କୁ enjoy କରୁ  । ଆଉ ଯଦି ଠିକ୍ ଭାବେ plan କରି ପାରିଲା ଜଣେ, ତ ସେଇ ରାସ୍ତା ଦେଇ ଯିବାବେଳେ ବି ଜଣେ ଛୋଟ ଛୋଟ diversion ସବୁ କରି, ବହୁତ୍ କିଛି ଦେଖି ଦେଖି ଯାଇ ପାରିବ।

କୋରାପୁଟର ବିଭିନ୍ନ ଦର୍ଶନୀୟ ସ୍ଥାନ ସବୁ ବିଷୟରେ ଶୁଣି ଶୁଣି ସେଇଠିକି ଯିବାକୁ ଖୁବ୍ ଇଚ୍ଛା ଥିଲେ ବି ମୁଁ କେବେ ଯାଇ ପାରୁ ନଥିଲି।
ତେବେ covid ବେଳେ ଥରେ ନିଜ ଗାଡ଼ି ନେଇ ଓଡ଼ିଶା ଆସିବା ପରେ ଆମେ ପ୍ରାୟତଃ ଗାଡ଼ିରେ ଯିବାକୁ ପସନ୍ଦ କଲୁ। ବିଭିନ୍ନ ସମୟରେ ଅଲଗା ଅଲଗା ରାସ୍ତା ଦେଇ ଯିବା ଆସିବା କଲାବେଳେ ପ୍ରତି ଥର କିଛି କିଛି ନୂଆ ଜାଗା ଦେଖି ଦେଖି ଗୁଡ଼ାଏ ଜାଗା ଦେଖି ସାରିଲୁଣି ଆମେ ୟା ଭିତରେ ।

ସେଇ ସବୁ ଜାଗାକୁ #detour hashtag ଦେଇ ମୁଁ ପୋଷ୍ଟ କରିବି ଆଗକୁ, ଯେମିତି ସେଇ ଜାଗା ସବୁ କିଏ ଯିବାକୁ ଚାହିଁଲେ easy ହବ ତାଙ୍କୁ 

ଏଇ ଥର ଗଲାବେଳେ କୁଟୁଣି ପଦର, ସହସ୍ର ଶିବଲିଙ୍ଗ ବୁଲି ଦେଖି ଦେଇଗଲୁ!
ଏଇ ଜାଗାଟି କୋରାପୁଟ ରୁ ରାୟଗଡ଼ା ଯିବା ରାସ୍ତାରେ Main Road ରୁ 10 km ଭିତରକୁ ଯିବାକୁ ପଡ଼େ।
ଛୋଟିଆ ଗାଁ ଭିତରେ ଅବସ୍ଥିତ ଏଇ ସ୍ଥାନରେ ଏତେ ସାରା ଶିବ ଲିଙ୍ଗ କେମିତି, କୁଆଡ଼ୁ ଆସିଲା, ସେ ଏକ ବିସ୍ମୟ!

ଗାଁ କୁ ରାସ୍ତାଟି ଅଣଓସାରିଆ ହେଲେ ବି ଭଲ କୁହାଯିବ।
Odisha tourism ବିଭାଗକୁ ଧନ୍ୟବାଦ ସେ ଜାଗାକୁ ରାସ୍ତା କରି ତାକୁ ଲୋକ ଲୋଚନକୁ ଆଣି ଥିବାରୁ।

ଛୋଟିଆ ଉଚ୍ଚା ସ୍ଥାନରେ ଥିବା ମନ୍ଦିରକୁ ଯିବାକୁ ମାର୍ବଲ ପାହାଚ ସବୁ ତିଆରି ହେଇଛି। କିନ୍ତୁ ସେ ପାହାଚ ଏତେ ଛୋଟ ଛୋଟ ଯେ, ତାର ଅଧା ସଂଖ୍ୟାର ପାହାଚ ତିଆରି ହେଇ ପାରିଥାନ୍ତା ବୋଲି ମତେ ଲାଗିଲା।
ତଳେ ପୂଜା ସାମଗ୍ରୀ ଥିବା ଦୋକାନ ଟିଏ ଅଛି।

ମନ୍ଦିର ଭିତରେ ଜଣେ ଆଦିବାସୀ ପୂଜକ ବସିଥିଲେ। ଆମକୁ ଦେଖି ଖୁବ୍ ଖୁସି ହେଇ ଢେର୍ ସାରା ଆଶୀର୍ବାଦ ଦେଲେ ଓ ମୟୂର ପୁଚ୍ଛ ରେ ଝାଡ଼ିଦେଲେ। କିନ୍ତୁ ଆମେ ଲକ୍ଷ୍ୟ କଲୁ ସେ କୌଣସି ମନ୍ତ୍ର ଉଚ୍ଚାରଣ କରୁ ନ ଥିଲେ ପୂଜା କଲାବେଳେ। ସେ ଜାଣିଥିବା ସମସ୍ତ ଦେବାଦେବୀ ଙ୍କ ନାଁ ନେଇ ଆମ ମାନଙ୍କର ମଙ୍ଗଳ ପାଇଁ ତାଙ୍କ ନିକଟରେ ପ୍ରାର୍ଥନା କରୁଥିଲେ।

ତା ପରେ ବି ଆମକୁ ଅମାପ ଶାନ୍ତି ମିଳୁଥିଲା ସେ ବିନା ମନ୍ତ୍ର ଉଚ୍ଚାରଣର ଆଶୀର୍ବାଦ ରୁ। ହୁଏତ ସେଇଟା ତାଙ୍କ ନିର୍ମଳ ମନରୁ ବାହାରୁ ଥିଲା ବୋଲି କି କଣ!

ଆମେ ତାଙ୍କୁ ଏଭଳି ଜାଗାରେ ଏତେ ସାରା ଶିବ ଲିଙ୍ଗ କୁଆଡ଼ୁ ଆସିଲା ବୋଲି ପଚାରିଲୁ ତ ମାଟି ଖୋଳା ହେଲାବେଳେ ଏସବୁ ସେ ଜାଗାରୁ ବାହାରି ଥିଲା ବୋଲି କହିଲେ ଆମକୁ।

Local ଲୋକ ଜଣେ କିଏ ମନ୍ଦିରକୁ electric current ଦେଇଛନ୍ତି ବୋଲି କହୁଥିଲେ। ଆମେ କିଛି ଟଙ୍କା ଦେଲା ବେଳକୁ ଟିକେ କୁଣ୍ଠିତ ହେବା ଦେଖି ଆମକୁ ଭଲ ଲାଗିଲା।

ପାଖରେ ମା ତାରିଣୀଙ୍କ ମନ୍ଦିର ତଥା ଅନ୍ୟ ଏକ ଗୁମ୍ଫାରେ ଦୁଇଟି ଶିବ ଲିଙ୍ଗ ରହିଛି ବୋଲି ରାସ୍ତା ଦେଖେଇ ଦେଲେ। ପାଖ ଗୁମ୍ଫା ଭିତରେ ଥିବା ଶିବ ଲିଙ୍ଗ ସ୍ଥାନକୁ ଆଣ୍ଠେଇ ପଶିବାକୁ ପଡ଼ିଲା। ମାତ୍ର bulb connection ଥିବାରୁ ଭିତରଟା ଅନ୍ଧାର ନଥିଲା। ତେଣୁ ଡର ଲାଗୁ ନଥିଲା।

ତାରିଣୀ ମନ୍ଦିର ରେ ଗୁଡ଼ାଏ ଖଣ୍ଡା ପୂଜା ପାଉଥିଲା। ସେସବୁର ଦଶହରା ସମୟରେ ସ୍ଵତନ୍ତ୍ର ପୂଜା ହୁଏ ବୋଲି ପୂଜାରୀଙ୍କ ଠାରୁ ଶୁଣିଥିଲୁ।

ଅଳ୍ପ କିଛି ସମୟ ସେ ପାହାଚରେ ବସି ଚାରି ପାଖର ସବୁଜ ପରିବେଶକୁ ନିରୀକ୍ଷଣ କଲୁ।

ତେବେ ସେ ପାହାଚ ମାନଙ୍କରେ ଗାଁ ର ଗୁଡ଼ାଏ ଲୋକ ଗାମୁଛା ପାରି ଭିକ ମାଗିବାକୁ ବସି ଯାଇଥିବା ଦେଖି ମତେ ସେତେ ଭଲ ଲାଗିଲାନି।

Tourism sector develop ହେଲେ local ଲୋକଙ୍କୁ job ମିଳିବ ବୋଲି ଆମେ ଭାବନ୍ତି। କିନ୍ତୁ ଏମିତି ଭିକ ମାଗି ରୋଜଗାର କରିବା ପନ୍ଥା କେବେ ବି ଠିକ୍ ନୁହେଁ ବୋଲି ମୋର ମତ!

ଆମେ ସେଇଠୁ ଫେରିବାକୁ ବାହାରିଲା ବେଳକୁ ଆଉ ଅନେକ ଲୋକ ଆସୁଥିଲେ ନିଜ ଗାଡ଼ି ମାନ ଧରି। ତେଣୁ ଆମେ ଶୀଘ୍ର ପହଞ୍ଚି ଯାଇଥିଲୁ ବୋଲି କେହି ନଥିଲେ ବୋଲି ଅନୁଭବ ହେଲା।

©Lipsa Panda

### ଭ୍ରମଣ କାହାଣୀ – Madhya Pradesh Diary -Day 2.1: Lonar Lake, Maharashtra ###

ପୂର୍ବ ଲେଖାରେ ଲେଖିଥିଲି Lonar Lake ସମ୍ବନ୍ଧୀୟ ପୌରାଣିକ ତଥା ଐତିହାସିକ ତଥ୍ଯ ସବୁ। ସେ ହ୍ରଦ ବିଷୟରେ ଏତେ ସାରା କଥା ପଢ଼ି ପଢ଼ି ତାକୁ ପାଖରୁ ଦେଖିବାର ଲୋଭ ଖୁବ୍ ବଢ଼ି ଯାଇଥିଲା। ତେଣୁ ପରଦିନ ସକାଳୁ ଶୀଘ୍ର ଉଠି ପଡ଼ି, ନିତ୍ୟକର୍ମ ସାରି hotel ରୁ check out କରି ବାହାରି ପଡ଼ିଲୁ lake କୁ । ରାସ୍ତାରେ କିଛି ଜଳଖିଆ (poha, Pakoda) ଖାଇ ନେଲୁ।

ହ୍ରଦ ଚାରି ପଟେ ଗାଡ଼ି ଯିବା ରାସ୍ତା ଦେଖି ପାରୁଥିଲୁ ଗୁଗଲ ମ୍ୟାପ୍ ରେ। ତେଣୁ ଭିତରକୁ ଯିବା ପୂର୍ବରୁ ଆଗେ ଗାଡ଼ିରେ ହ୍ରଦ ଚାରି ପାଖରେ ଘୂରି ଆସିବୁ ଭାବି ଟିକେ ଆଗକୁ ଯାଇଛୁ କି ନାହିଁ ଦେଖିଲୁ forest department gate ବନ୍ଦ କରି ଦେଇଛନ୍ତି। ସେଇଠି ଓହ୍ଲେଇ ରାସ୍ତା ଧାରରୁ ତଳେ ଥିବା ହ୍ରଦକୁ ଦେଖିବାକୁ ରାସ୍ତା କଡ଼କୁ ତା ପାଚେରୀ ପାଖକୁ ଚାଲିଲୁ।

ଉପରୁ ଦିଶୁଥାଏ ଗୋଲାକାର ହ୍ରଦଟି। Net ରୁ ଦେଖିଥିବା drone shots ଭଳି ଦିଶୁଥାଏ ଠିକ୍ । ଅନୁମାନ କରୁଥିଲୁ ଉଲକା ପିଣ୍ଡଟି କେତେ ସ୍ପିଡ ରେ ଆସି ଧକ୍କା ଦେଇଛି ଯେ ଏଡ଼େ ବଡ଼ ଖାଲ କରି ଦେଇ ଯାଇଚି ଏଠି। ବିଶ୍ୱର ଚାରୋଟି ରୁ ଅନ୍ୟ ତିନୋଟି ଏଭଳି ତିଆରି ହେଇଥିବା ହ୍ରଦ ଅଛି ବ୍ରାଜିଲ୍ ରେ, ତେବେ ସେଠି ପାଣି ନାହିଁ। ଏଠି କିନ୍ତୁ ଏତେ ଗଭୀର ହ୍ରଦ ତିଆରି ହେଇଛି ମାନେ, ଉଲକା ର ବେଗ ତଥା ମାଡ଼ ର huge impact କଥା ଅନୁମାନ କରି ହେଇ ଯାଉଚି!

ସେଇଠି ଦେଖୁଥିବା ବେଳେ local ଲୋକ ଦୁଇଜଣ ଆସିଲେ । ଆମ ସହ କଥା ହେଇ ଜାଣିଲେ ଏବେ ଆମେ ଭିତରକୁ ଯିବୁ। କେତେ ସମୟ ଲାଗିବ ବୁଲିବାକୁ ବୋଲି ତାଙ୍କୁ ପଚାରିଲୁ ତ ସେ କହିଲେ ସାଧାରଣତଃ ଲୋକେ gate ଠୁ କିଛି ବାଟ ଯାଇ ଗୋମୁଖ ଓ ସେଠି ଥିବା ମନ୍ଦିର ଦେଖି ଫେରି ଆସନ୍ତି। ସେତିକି ଦେଖିବାକୁ ଅଧା ଘଣ୍ଟା ଲାଗିବ। କିନ୍ତୁ ପାଣି ପାଖକୁ ଯିବାକୁ ହେଲେ ତଳକୁ ପ୍ରାୟ ଦୁଇ କିଲୋମିଟର ଓହ୍ଲେଇ ବାକୁ ପଡ଼ିବ। ପୁଣି ସେଇ ହ୍ରଦ କୂଳେ କୂଳେ ଥିବା ରାସ୍ତାରେ ଆଗକୁ ଗଲେ, ଆଉ କିଛି ମନ୍ଦିର ସହ ସେ ରାସ୍ତାର ଶେଷ ମୁଣ୍ଡରେ ଥିବା ଶେଷ ମନ୍ଦିର ମାତା Kamalja ମନ୍ଦିର ଯାଏଁ ଯିବାକୁ ଆଉ ଘଣ୍ଟାଏ ଦରକାର। ଆମେ ଠିଆ ହେଇଥିବା ଜାଗାରୁ Kamalja ମନ୍ଦିର ଦେଖା ଯାଉଥିଲା। ସେ ଆମକୁ ତାକୁ ଦେଖେଇ ଦେଲେ। ତା ସହ ଆମ ଝିଅକୁ ଟିକେ ଚାହିଁ ଦେଇ କହିଲେ: ତମେ ମାନେ ତ ସେ ଯାଏଁ ପହଞ୍ଚି ପାରିବନି!

ସେ ଆମକୁ ତଥା ଆମ ଝିଅକୁ ଦେଖି ଭାବିଥିବେ ସୌଖୀନ traveller ବୋଲି! ହେଲେ ସେ କାହୁଁ ଜାଣିବେ ଆମ ଝିଅ ବି ଆମ ଭଳି rough and tough 

Gate ବାହାରେ ଗାଡ଼ି ପାର୍କ କରି, ବ୍ୟାଗ୍ ରେ କିଛି ଶୁଖିଲା ଖାଦ୍ୟ ଆଉ ପାଣି ବୋତଲ ଦୁଇଟା ଧରି ଭିତରକୁ ପଶିଲୁ। ଭିତରେ ସେ ଜଙ୍ଗଲରେ କିଛି ମିଳିବନି ଜାଣିଥିଲୁ।
ସକାଳୁ ସକାଳୁ ବି ପ୍ରବଳ ଖରା ଦେଖି ସେ ଜାଗାର weather ପୁରା dry ବୋଲି ଜାଣି ହେଇ ଯାଉଥାଏ।

ଗେଟ ବାହାରେ ଥିବା security register ରେ sign କରିବାକୁ କହିଲା। ସେଠି entry free ଥିଲା ।
ସେଇଠି କିଛି govt permitted guide ବି ଥିଲେ । ଆମେ କିନ୍ତୁ ନିଜେ ନିଜେ explore କରିବାକୁ ଚାହୁଁଥିଲୁ ସେ ଜାଗାକୁ। ତେଣୁ guide ମାନଙ୍କୁ କରି ମନା ଆଗକୁ ବଢି଼ଲୁ। ସେମାନେ charge 1000/- କହୁଥିଲେ।

ଭିତରେ କିଛି ପାହାଚ ଓହ୍ଲେଇ ପ୍ରଥମେ ପହଞ୍ଚିଲୁ ଗୋମୁଖ ପାଖରେ। ଗାଈ ର ମୁହଁ ଦେଇ ଝରଣା ପାଣି ବୋହୁଛି। ଗାଈ ମୁହଁଟି ଅଛି ଗୋଟିଏ ମନ୍ଦିର ତଳେ। ସେଇ ପାଣି ତଳେ ଏକ କୁଣ୍ଡରେ ଜମା ହଉଚି।
ସେ ଝରଣାରୁ ବର୍ଷସାରା ସେତିକି ମାତ୍ରାରେ ପାଣି ଝରୁଥାଏ ବୋଲି ପଢ଼ିଥିଲି। ହେଲେ ତା source କଣ ବୋଲି କେହି ଜାଣି ପାରି ନାହାଁନ୍ତି ଏଯାଏଁ। ଏଇ ପାଣି ଝରଣା ଆକାରରେ ବୋହି ଯାଇ ତଳେ ହ୍ରଦରେ ମିଶିଛି।
ଏ ପାଣି ପୁରା ମିଠା। ଲୋକଙ୍କୁ ବୋତଲ ରେ ସେଇ ପାଣି ଭରି ନବାର ଦେଖିଲୁ।

ସେଇଠୁ ତଳକୁ ଓହ୍ଲାଇ ବାକୁ ତୀଖ ପାହାଚ ସବୁ ଥାଏ। ଓହ୍ଲେଇଲା ବେଳେ ଭାବୁଥିଲୁ ଫେରିଲା ବେଳେ ଉପରକୁ ଉଠିଲା ବେଳକୁ ଭୀଷଣ କଷ୍ଟ ହବ ଏଠି।
ରାସ୍ତା କଡ଼େ କଡ଼େ ଆମ ସାଙ୍ଗରେ ବୋହି ଚାଲିଥାଏ ଝରଣା। ତା ସହ ମଝିରେ ମଝିରେ ମନ୍ଦିର ସବୁ ଥାଏ।

ପୁରା ହ୍ରଦ ଅଞ୍ଚଳରେ ଥିବା 14 ଟି ମନ୍ଦିର ଭିତରୁ 12 ଟି ଶିବ ମନ୍ଦିର, 1 ଟି ରାମ ମନ୍ଦିର ଆଉ ଅନ୍ୟଟି Kamalja ମନ୍ଦିର। ଏହି 12 ଟି ଶିବ ମନ୍ଦିର ହେତୁ ହ୍ରଦ ଚାରି ପାଖରେ ପରିକ୍ରମା କଲେ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ ସମ୍ପୂର୍ଣ୍ଣ ହେଇଯାଏ ବୋଲି ଏଠିକାର ଲୋକଙ୍କ ବିଶ୍ବାସ ଥାଏ।

ରାସ୍ତା ସାରା ଥିବା ଭଗ୍ନ ପ୍ରାୟ ଶିବ ମନ୍ଦିର ମାନ ଦେଖି ଦେଖି ଆଗକୁ ଯାଉଥାଉ। ଗୋଟିଏ ଜାଗାରେ ଜଣେ ଗାଇଡ୍ ଗୋଟେ couple ଙ୍କୁ ସେ ଜାଗାରେ compass ରଖି direction ଦେଖୋଉ ଥିବାର ଦେଖିଲୁ । ଗୋଟିଏ ନିର୍ଦ୍ଦିଷ୍ଟ ଜାଗାରେ ସେ compass ବି କାମ କରେନି ବୋଲି ପଢ଼ିଥିଲି ମୁଁ। ଦେଖିଲି ସେ ଗାଇଡ୍ ଟି ସେମାନଙ୍କୁ ସେଇ point ଟି ଦେଖେଇବାର।

Kamalja ମନ୍ଦିର ଯାଏଁ ଯିବାକୁ ଇଚ୍ଛା ତ ଥିଲା। ତେବେ ଯାଇ ପାରିବୁ କି ନାହିଁ ବୋଲି ସନ୍ଦେହରେ ଥିଲୁ। ଦେଖିଲୁ ଆଗରୁ ଗୋଟେ ସ୍କୁଲ ର ଛୋଟ ପିଲା ସବୁ ଫେରୁଛନ୍ତି। ତାଙ୍କୁ ପଚାରି ବୁଝିଲୁ ସେମାନେ Kamalja ମନ୍ଦିର ଯାଏଁ ଯାଇ ଫେରିଛନ୍ତି। ଏମାନେ ଯାଇ ପାରିଲେ ଯଦି, ଆମେ କାହିଁକି ପାରିବୁନି ବୋଲି ଭାବି ଅଣ୍ଟା ଭିଡ଼ିଲୁ ଯିବାକୁ ।

ଯେତେ ତଳକୁ ତଳକୁ ଯାଉ ଥାଉ, ଜଙ୍ଗଲ ଘଞ୍ଚ ହେଇ ଚାଲିଥାଏ ଆଉ ଲୋକ କମି କମି ଯାଉଥାନ୍ତି। ଅନେକ ଲୋକ ତ ଅଧାରୁ ଫେରି ଆସୁଥାନ୍ତି। ତଥାପି ଆମେ ଆଗକୁ ଯିବୁ ବୋଲି ସ୍ଥିର କରି ମାଡ଼ି ଚାଲିଲୁ । ପାହାଚ ସରି ଜଙ୍ଗଲୀ ପାଦ ଚଲା ରାସ୍ତା ଆରମ୍ଭ ହେଇଗଲା।
କିଛି ବାଟ ଗଲା ପରେ forest department ର gate ଆସିଲା । ସେଇଠୁ entry fee 40/- per head. ସେଠି ବି guide ଥିଲେ। କିନ୍ତୁ ଆମେ ଏକା ଏକା ଯିବୁ କହିବାରୁ ସେଠିକାର ଷ୍ଟାଫ୍ ଆମକୁ ପାଣି ଯାଏଁ ତଥା ଶେଷ ମନ୍ଦିର ଯାଏଁ ଯିବାର ବାଟ କହିଦେଲେ।

ତାଙ୍କ କହିବା ରାସ୍ତାରେ କିଛି ବାଟ ଯିବାପରେ ଆସିଲା ଶ୍ରୀରାମ ମନ୍ଦିର। ଭିତରେ ପ୍ରଭୂ ଶ୍ରୀରାମ ଏକୁଟିଆ ଦଣ୍ଡାୟମାନ। ମୂର୍ତ୍ତୀ ଟି ଠିକ୍ ଏବେ ଶ୍ରୀମଦ୍ ରାମାୟଣ serial ର title track ରେ ଦେଖୋଉଥିବା ଶ୍ରୀରାମଙ୍କ ମୂର୍ତ୍ତୀ ଭଳି ଲାଗୁଥିବାର ଆମେ ତିନିହେଁ ଅନୁଭବ କଲୁ। ପୂଜାରୀ ସକାଳୁ ଧୂପ ଜଳାଇ ଦେଇ ଯାଇଛି। କିନ୍ତୁ ଏବେ ବି ସେ ଖଣ୍ଡ ମଣ୍ଡଳ ଧୂପ ବାସ୍ନାରେ ମହକୁଛି।

ସେଇଠି ମୁଣ୍ଡିଆ ମାରି ମନ୍ଦିର ପଛ ଆଡ଼େ ଥିବା ରାସ୍ତାରେ ପାହାଡ଼ ଉପର ଆଡ଼କୁ ଥିବା ରାସ୍ତାରେ ଆଗେଇଲୁ। ଏବେ ସେଇଟା ସମ୍ପୂର୍ଣ୍ଣ ଶୂନଶାନ ଘଞ୍ଚ ଜଙ୍ଗଲ ରାସ୍ତା ଥିଲା। ମ୍ୟାପ୍ କାମ କରୁ ନଥିଲା ଆଉ ସେଠି ନେଟୱାର୍କ ନ ଥିବାରୁ। ଠିକ୍ ରାସ୍ତାରେ ଯାଉଚୁ କି ନାହିଁ ବୋଲି କହିବାକୁ କେହି ନାହିଁ। ଲାଗୁଥାଏ ଭୁଲ୍ ରାସ୍ତାରେ ଯାଉଚୁ କି କଣ!

ଏମିତି ସନ୍ଦେହରେ କିଛି ବାଟ ଉପରକୁ ଚଢିବା ପରେ ଦେଖିଲୁ ଆଗରୁ ବନ ବିଭାଗ ର ଜଣେ କର୍ମଚାରୀ ଆସୁଛନ୍ତି। ସେ ଆମକୁ କହିଲେ ଆମେ lake ର ଠିକ୍ opposite direction ରେ ଉପରକୁ ଉଠି ଆସିଲୁଣି। ତେବେ ସେ ଜାଗାରୁ ଗୋଟେ shortcut ବାଟ ବତେଇ ଦେଲେ Kamalja ମନ୍ଦିର ରାସ୍ତାରେ ପହଞ୍ଚିବାକୁ।
ସେ ରାସ୍ତା ଧରି ଯିବାବେଳେ ଲାଗିଲା ପ୍ରଭୂ ଶ୍ରୀରାମ ଯେମିତି ପଠେଇଲେ ଲୋକଟିକୁ ଆମକୁ ରାସ୍ତା ଦେଖେଇବାକୁ!
ତାଙ୍କ ଉଦ୍ଦେଶ୍ୟରେ ହାତ ଯୋଡ଼ି ଆଉ କିଛି ବାଟ ଆଗକୁ ଗଲାବେଳେ ଦେଖିଲୁ ରାସ୍ତା ସାରା ଗଛ ଉପରେ ମାଙ୍କଡ଼ ଡିଆଁ ମାରୁ ଥିବାର। ପ୍ରାୟ ଅଧା କିଲୋମିଟର ତଳକୁ ଆସିବା ପରେ ପହଞ୍ଚିଲୁ ହ୍ରଦ କୂଳରେ। ମାତ୍ର କୂଳରେ ଥିବା କାଦୁଅ ଯୋଗୁ ପାଣି ପାଖରେ ପହଞ୍ଚି ହଉ ନଥାଏ। ସେଇ କୂଳେ କୂଳେ ଆଗକୁ ବଢ଼ି ପହଞ୍ଚିଲୁ ଗୋଟିଏ ଶିବ ମନ୍ଦିର ପାଖରେ। ସେଇଠି ASI ତରଫରୁ ଲୋକେ କାମ କରୁଥାନ୍ତି। ଏତେ ସମୟ ପରେ ମଣିଷ ଙ୍କୁ ଦେଖି ଦେହରେ ଜୀବନ ପଶିଲା!

ସେମାନେ କହିଦେଲେ Kamalja ମା ଙ୍କ ମନ୍ଦିରକୁ ରାସ୍ତା। ଆଉ ଅଳ୍ପ ବାଟ ଚାଲିବା ପରେ Finally ପହଞ୍ଚିଲୁ ମା ଙ୍କ ମନ୍ଦିରରେ। ମନ୍ଦିରଟିର ଅଧା ହ୍ରଦ ପାଣି ଭିତରେ। ଭିତରକୁ ଯାଇ ଦେଖିଲୁ ପୂଜାରୀ ଅଛନ୍ତି। ଗୋଟେ ଉଚ୍ଚ ଆସ୍ଥାନ ଉପରେ ମା ବିରାଜିତା। ଖୁବ୍ ସୁନ୍ଦର ମୂର୍ତ୍ତୀ।

ପୂଜାରୀଙ୍କ ଠୁ ଜାଣିଲୁ ଏଠି ନବରାତ୍ରୀ ବେଳେ ମେଳା ହୁଏ। ଆଖ ପାଖର ସବୁ ଗାଁ ଲୋକ ଆସନ୍ତି ସେ ସମୟରେ। ବାକି ସମୟରେ ଖୁବ୍ କମ୍ ଲୋକ ଆସନ୍ତି ଏଯାଏଁ । ତେବେ ବର୍ଷା ଦିନେ ହ୍ରଦ ପାଣି ମନ୍ଦିର ଭିତରକୁ ପଶି କିଛି ଅଂଶ ବୁଡ଼େଇ ଦିଏ ବୋଲି ଏଠି ମା ଉଚ୍ଚ ଆସ୍ଥାନ ଉପରେ ବସିଛନ୍ତି। ମା ଙ୍କୁ ମୁଣ୍ଡିଆ ମାରି ବାହାରେ ଆସି ପାହାଚରେ ବସିଲୁ ହ୍ରଦ ପାଣିରେ ଗୋଡ଼ ବୁଡ଼େଇ। କିନ୍ତୁ local ଲୋକ ଜଣେ ଆସି ମା ଙ୍କୁ ପୂଜା କରି ବୋତଲ ରେ ସେ ହ୍ରଦ ପାଣି ଭରି କରି ନବାର ଦେଖି ତାଙ୍କୁ ପଚାରି ବୁଝିଲୁ, ସେଠିକାର ଲୋକେ ଏ ପାଣିକୁ ଖୁବ୍ ପବିତ୍ର ମାନନ୍ତି। ଚର୍ମ ରୋଗ ଦୂର ହୁଏ ଏ ପାଣିରେ ଧୋଇଦେଲେ।

ସେଠି ବସି ପାଣିରେ ଭାସୁଥିବା ପାଣିକୁଆ ମାନଙ୍କୁ ନିରୀକ୍ଷଣ କଲୁ। ପୂଜାରୀ କହିଲେ ସେ ପାଣିରେ କୌଣସି ଜୀବ ବଞ୍ଚି ପାରନ୍ତିନି ତା unique feature ଯୋଗୁ । କେବଳ ଭାସି ପହଁରି ପାରନ୍ତି ଯାହା।

କିଛି ସମୟ ବସିବା ପରେ ଫେରିବା ଆରମ୍ଭ କଲୁ ସେଇଠୁ। ରାସ୍ତାରେ କିଛି ଲୋକଙ୍କୁ ମନ୍ଦିରକୁ ଯାଉ ଥିବାର ଦେଖିଲୁ। ସେମାନେ ଆମକୁ ରାସ୍ତା ପଚାରିବାରୁ ଆମେ ବତେଇ ଦେଲୁ ରାସ୍ତା। ସେମାନେ ହଜି ନ ଯାନ୍ତୁ ଅନ୍ତତଃ ଆମଭଳି!

ଉପରେ ସେ ପାହାଚ ଉପରକୁ ଉଠିଲା ବେଳକୁ ଧୁମ୍ ଖରା ସାଙ୍ଗକୁ ସେ ତୀଖ ପାହାଚ ଚଢ଼ା ବଡ଼ କଷ୍ଟ ହେଲା । ଆଣ୍ଠୁ ଗଣ୍ଠି ରୋଗ ଥିବା ଲୋକ ସେଠିକି ଆଦୌ ନଯିବା ଉଚିତ୍। ତେବେ ଉପରେ ପହଞ୍ଚିବା ପରେ ପଛକୁ ଫେରି ଦେଖିଲୁ ଆମେ just ଫେରିଥିବା ସେ mystery land କୁ ।
Adventurous ଥିଲା ଆମ ସେ journey!

ସେଇଠୁ ବାହାରି ପାଖରେ ଥିବା Motha Hanuman ମନ୍ଦିରକୁ ଗଲୁ । ଅଧା କିଲୋମିଟର ଦୂରରେ ବୋଲି suggest କରିଥିଲେ ସକାଳେ ଭେଟିଥିବା ଲୋକ ଜଣଙ୍କ। ସେ ମନ୍ଦିରରେ ହନୁମାନ ଶୟନ ମୁଦ୍ରାରେ। ଛୋଟ ମନ୍ଦିରଟି। କିନ୍ତୁ ଶାନ୍ତିପୂର୍ଣ୍ଣ ପରିବେଶ।
ଶୟନରତ ବଜରଙ୍ଗବଲୀଙ୍କୁ ମୁଣ୍ଡିଆ ମାରି ବସିଲୁ ଘଡ଼ିଏ ସେଠି। ତା ପରେ ଗାଡ଼ିରେ ବସି ବାହାରି ପଡ଼ିଲୁ ମଧ୍ଯପ୍ରଦେଶ ଦିଗରେ । ରାସ୍ତାରେ lunch ଖାଇଦେଇ ମାଡ଼ି ଚାଲିଲୁ ମହାକାଳଙ୍କ ନଗରୀ ଅଭିମୁଖେ….


                …. କ୍ରମଶଃ

©Lipsa Panda

ଲଲ୍ଲୁ

ଲିପ୍ସା ଠୁ ଯେବେ ଜାଣିଲା ତା ସ୍ଵାମୀ ମଦ ପିଅନ୍ତିନି ବୋଲି, ସେ କହିଥିଲା “ଲଲ୍ଲୁ ଟା”।


ଏବେ ତା ସ୍ତ୍ରୀ ତାକୁ ଛାଡ଼ି ବାପଘରକୁ ପଳେଇଚି ଆଉ ଡିଭୋର୍ସ ପାଇଁ କେସ କରିଚି ସେ ମଦୁଆଟା ବୋଲି…

©Lipsa Panda

ଝିଅ ହେଇଚି

ଆଜି ଯେତେବେଳେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଝିଅଟିଏ ଭାରତର ପ୍ରଥମ ନାଗରିକ ହବାର ଗୌରବ ହାସଲ କରିଛନ୍ତି, ସେତେବେଳେ ମନେ ପଡ଼ି ଯାଉଛି ମୋ ଝିଅ ଜନ୍ମ ହବା ସମୟର କିଛି ଘଟଣା।

ଝିଅ ଜନ୍ମ ହବାର ପରଦିନ ଆମର ବନ୍ଧୁ ଜଣେ (ଯିଏ ନିଜେ ଜଣେ ଝିଅ, ଆଉ ତାଙ୍କର ଦୁଇଟି ଝିଅ ଥିଲେ ସେତେବେଳ ପର୍ଯ୍ୟନ୍ତ) ଫୋନ୍ କଲେ ମୋ ନମ୍ଵର୍ କୁ। ମୁଁ ଫୋନ୍ ଧରୁ ଧରୁ ତାଙ୍କ ବୀଣା ଜିଣା ସ୍ଵରରେ କହି ପକେଇଲେ: ଅରୁଣର ଝିଅ ହେଇଚି ଶୁଣି ମୋ ମନ ଦୁଃଖ ହେଇଗଲା। ହ, ହଉ, ୟା ପର ଛୁଆଟା ପୁଅ ହଉ ବୋଲି ମୁଁ ଠାକୁରଙ୍କୁ ପ୍ରାର୍ଥନା କରିବି!
ମୋ ଦେହ ଭଲ ଅଛି କି ନାଇଁ ବୋଲି ତ ପଚାରିଲେ, ହେଲେ ମୋ ଝିଅ ବିଷୟରେ ପଦେ ନ ପଚାରି ଫୋନ୍ ରଖିଲେ।
ମୁଁ ବୁଝି ପାରିଲିନି ଏଇଟା କଣ ଥିଲା। ଦୟା ହୁଏତ!
କି ପ୍ରକାର ଅଭଦ୍ରାମି ଇଏ! ମୁଁ ଖୁସି ଅଛି କି ନାଇଁ ନ ଜାଣି ମୋ ପାଇଁ ମନ ଦୁଃଖ କରିବାକୁ ୟାଙ୍କୁ ଅଧିକାର ଦେଲା କିଏ! ମୋ ଝିଅର ଭରଣପୋଷଣ ଦାୟିତ୍ଵ ୟାଙ୍କ ଉପରେ ତ ନାହିଁ। ତା ପରେ ବି ମୋ ଝିଅ ୟାଙ୍କୁ ବୋଝ ଭଳି ଲାଗିଲା କିଆଁ ଯେ ଏତେ ମନ ଦୁଃଖ ୟାଙ୍କର!
ଶାଶୁଘର ପଟର ବନ୍ଧୁ ନ ହେଇଥିଲେ ହୁଏତ ଦୁଇପଦ ଶୁଣିଥାନ୍ତେ ସେ ମହୀୟସୀ ମୋ ଠୁ ସେଦିନ। ଅବଶ୍ଯ ତା ପରଠୁ ଏଭଳି ମୂର୍ଖଲୋକ ସହ ଫୋନ୍ ରେ ବି ସମ୍ପର୍କ ରଖିବାକୁ ଆତ୍ମା ଡାକିଲାନି।

ଏ କେବଳ ମୂର୍ଖ ଲୋକଙ୍କ ମାନସିକତା ନୁହେଁ। ଉଚ୍ଚ ଶିକ୍ଷିତ ମାନେ ମଧ୍ଯ ସମାନ ଧାରଣା ରଖନ୍ତି ମନରେ। ତାର ପ୍ରକୃଷ୍ଟ ଉଦାହରଣ ଥିଲେ ମୋ gynecologist, ଯିଏ ନିଜେ ଜଣେ ମହିଳା।
ଆଠମାସ ଯାଏଁ ତାଙ୍କ ପାଖକୁ regular check up ପାଇଁ ଯାଉଥିଲି। ତା ଭିତରେ ତିନିଥର ultrasound କରିଥିଲେ ସେ ମୋର । Delivery ପାଇଁ ଓଡ଼ିଶା ଗଲି। ସେଠି ଝିଅ ହେଲାପରେ ମୁଁ ରହିଲି ଚାରିମାସ ଯାଏଁ। ତେବେ ମୋ ସ୍ୱାମୀ ତିନି ଚାରିଦିନ ପରେ ଫେରି ଆସିଲା ପରେ ମିଠା ପ୍ୟାକେଟ୍ ନେଇ ଯାଇଥିଲେ ସେଇ ଡାକ୍ତର ଆଉ ତାଙ୍କ ଷ୍ଟାଫ୍ ମାନଙ୍କ ପାଇଁ। ସେ ମାଡାମ୍ ଟିକେ ଆଶ୍ଚର୍ଯ୍ୟ ହେଇଗଲେ ପ୍ରଥମେ। ତା ପରେ ମୋ ସ୍ୱାମୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରି କହିଲେ: ମୁଁ ଭାବି ନଥିଲି ତମେ ମିଠା ନେଇକି ଆସିବ। କାରଣ ଆଠ ମାସର ultrasound ବେଳେ ଆମେ ସମସ୍ତେ ଜାଣି ସାରିଥିଲୁ ତମର ଝିଅ ହବ ବୋଲି!

କହିବା କଥା ହେଲା ଲୋକେ ମନେ ମନେ ଧରି ନିଅନ୍ତି  କି ଝିଅ ହେଇଚି ମାନେ ବାପା ମା ଦୁଃଖୀ ଥିବେ। ନଚେତ୍ ତା ପରେ ପରେ ପୁଅ ଜନ୍ମ କରିବାକୁ ଚେଷ୍ଟା ଆରମ୍ଭ କରିଦେବେ!
କିନ୍ତୁ ଘରେ ବାହାରେ ବହୁତ୍ ଜଣଙ୍କୁ ନିରାଶ କରି ମୁଁ ଗୋଟିଏ ଝିଅରେ ସୀମିତ ରଖିଲି ମୋ ପରିବାର 

ଆଜି ଓଡ଼ିଆ ଝିଅଟିଏ “ମହାମହିମ” ପଦ ଅଳଙ୍କୃତ କଲାପରେ ଆମ ଓଡ଼ିଆ ଲୋକଙ୍କ ମନରୁ ଝିଅ ପାଇଁ ହୀନମନ୍ୟତା କିଛି ମାତ୍ରାରେ କମିବ ବୋଲି ଆଶା କରିବି।
କିଏ ଜାଣେ! କାଲି ଆମ ମାନଙ୍କ ଝିଅ ଆଗକୁ ଯାଇ କୋଉ ଉଚ୍ଚ ପଦରେ ପ୍ରତିଷ୍ଠିତ ହବନି ବୋଲି!

©Lipsa Panda

ନିଷ୍ପାପ

ଗତବର୍ଷ ଯେତେବେଳେ କରୋନାର ପ୍ରଥମ ଲହର ଚାଲିଥିଲା, ପ୍ରଥମ ଥର ଲାଗି ଘର ଠୁ ଦୂରେଇ ରହିବାର କଷ୍ଟ ଖୁବ୍ ଅନୁଭବ ହେଲା। ସବୁବେଳେ ତ ଦୁଃଖ ଲାଗେ, ସେତେବେଳେ କଷ୍ଟ ଲାଗିଲା । ଖୁବ୍ ଇଚ୍ଛା ହେଲା ଓଡ଼ିଶା ପଳେଇ ଆସିବାକୁ। ମନରେ ଡର ଥିଲା, ଆମେ ସେଇଠି ଥିଲା ବେଳେ ଯଦି ଆମର କିଛି ହେଇଯାଏ, ତେବେ ଘର ଲୋକ ଆମକୁ ଦେଖି ସୁଦ୍ଧା ପାରିବେନି। କି ଏଠି ଘରେ ଯଦି କାହାର କିଛି ହେଇଯାଏ, ଆମେ ତାଙ୍କୁ ଦେଖି ସୁଦ୍ଧା ପାରିବୁନି ଟିକେ।
ଭାରି ବିକଳ ହେଲା ମନ। କେତେ ଶୀଘ୍ର ଯିବା ଆସିବା କରିବାକୁ ଅନୁମତି ମିଳିବ, ଆମେ ଆସିବୁ ବୋଲି ଚାହିଁ ରହିଲୁ ସୁଯୋଗକୁ।
କିଛିଦିନ ପରେ ସ୍ପେଶାଲ ଟ୍ରେନ ଆରମ୍ଭ ତ ହେଲା, କିନ୍ତୁ ସେ ହେଲା
ପ୍ରବାସୀ ଶ୍ରମିକ ଆଉ କୌଣସି କାମରେ ବାହାର ରାଜ୍ୟକୁ ଯାଇ ଫସି ଯାଇଥିବା ଲୋକଙ୍କ ପାଇଁ ।

ଯେତେବେଳେ interstate travel ପାଇଁ ଅନୁମତି ମିଳିଲା, ଘରେ ରହି କାମ କରିବୁ ଆଉ ଛୁଆ online class କରି ପାରିବ ବୋଲି ଆମେ ନିଜ କାର୍ ରେ କମ୍ପ୍ୟୁଟର୍, ଛୁଆର ବହିପତ୍ର ସମେତ କିଛିଟା ଜିନିଷ ପତ୍ର ଲଦି ଓଡ଼ିଶା ଚାଲି ଆସିଲୁ। ଆମର self isolation ରେ ରହିବାକୁ ସୁବିଧା ଥିଲା ଯେହେତୁ କଲୋନୀର ଦୁଇ ମୁଣ୍ଡରେ ଦୁଇଟା ଘର ଥିଲା।

ତେବେ ଆମ ମୂଳ ଘର, ଯୋଉଠି ଘର ଲୋକେ ରୁହନ୍ତି, ତା ଉପରେ ଭଡ଼ାରେ ରହୁଥାନ୍ତି ଗୋଟିଏ ପରିବାର। ତାଙ୍କରି ଝିଅ ଏକା ସହରରେ ବାହା ହେଇ ଥିବାରୁ ତାଙ୍କ ନାତୁଣୀ, ଯିଏ ମୋ ଝିଅର ସାଙ୍ଗ, ପ୍ରାୟତଃ ଯିବା ଆସିବା କରେ ତା ଆଈ ଘରକୁ । ଆଉ ଆମେ ଆସିଚୁ ଜାଣିବା ଦିନଠୁ ସେ ପ୍ରାୟତଃ ଆଈ ଘରେ ରହିଲା। ଯେମିତି ଆମ isolation period ସରିଲା, ସେ ଦୁହେଁ ମିଳିମିଶି ଖେଳିବା ଆରମ୍ଭ କରିଦେଲେ। ଝିଅ କ୍ଲାସ୍ ଆଉ ହୋମ୍ ୱର୍କ କରିବା ସମୟ ତକ କୁ ଛାଡ଼ିଦେଲେ ବାକି ସମୟରେ ମୋ ଝିଅ ତାଙ୍କ ଘରେ, ନଚେତ୍ ସେ ଆମ ଘରେ।
ଓଡ଼ିଶା ବାହାରେ ସବୁବେଳେ ଘରେ ଏକା ଏକା ରହି ବୋର୍ ହଉଥିବା ମୋ ଝିଅ ଏଠି ଧୁମ୍ ଉପଭୋଗ କଲା ସାଙ୍ଗ ସାଥି ମାନଙ୍କ ସହ ଖେଳିବା। ସେ ଦୁହେଁ ଏତେ ବେଶୀ ଖୁସି ହଉଥିଲେ ଯେ ମୁଁ ମୋ ଶାଶୁଘରକୁ ଯିବାକୁ ବାହାରିଲା ବେଳକୁ ଝିଅ ଯିବାକୁ ଇଚ୍ଛା କରୁ ନଥିଲା। ଆଉ ଆମେ ସିଆଡ଼େ ଚାଲି ଯିବା ପରେ ତା ସାଙ୍ଗ କାନ୍ଦୁଥିଲା ବୋଲି ବି ଜାଣିବାକୁ ପାଇଲୁ ଆମେ।

ତେବେ ଶାଶୁଘରେ slow internet ଲାଗି ଯେତେବେଳେ ପୁଣିଥରେ ଘରକୁ ଫେରିଲି, ପୁଣିଥରେ ଚାଲିଲା ତାଙ୍କ ଖେଳ। ହଠାତ୍ ଦିନେ ଏପଟ ଘରୁ ସେପଟକୁ ଗଲା ବେଳକୁ ଦେଖିଲି ତା ସାଙ୍ଗ ଆଉ ଆମ ଘରକୁ ଆସିଲାନି।
ଆମେ ଆମ ଘରେ ପାଦ ଦେଇଥିବୁ କି ନାଇଁ, ତୁରନ୍ତ ହାଜର ହେଇ ଯାଉଥିବା ପିଲାଟି ଯେବେ ପୁରା ଦିନ ସରିଲା ଯାଏଁ ନ ଆସିଲା, ପ୍ରଥମେ ତ ମୁଁ ଭାବିଲି କରୋନା ପାଇଁ ବୋଧେ ତାଙ୍କ ଘରେ ମନା କରି ଦେଇଛନ୍ତି ତାକୁ ଆସିବାକୁ ଆମ ଘରକୁ । କିନ୍ତୁ ଉପରେ ଥାଇ ସେ ମୋ ଝିଅକୁ ଡାକୁନି କି ତା ସହ କଥାବାର୍ତ୍ତା ସୁଦ୍ଧା କରୁନି ଦେଖି ମତେ ଟିକେ ସନ୍ଦେହ ହେବାରୁ ଘରେ ପଚାରି ବୁଝିଲି, କୌଣସି କାରଣ ପାଇଁ ଆମ ଘର ଆଉ ତାଙ୍କ ଘର ଭିତରେ ମନୋମାଳିନ୍ୟ ହେଇଚି। ଆଉ ତାର ଫଳ ସ୍ଵରୂପ ସେମାନେ ଆମ ଘର ଛାଡ଼ିବେ ବୋଲି ଅଲଗା ଘର ଦେଖିବା ଆରମ୍ଭ କରିଛନ୍ତି।

ବଡ଼ ମାନଙ୍କ ଏ ଗଣ୍ଡଗୋଳରେ ପିଲାଙ୍କୁ ଟାଣିବା ଦେଖି ଖୁବ୍ ଆଶ୍ଚର୍ଯ୍ୟ ହେଲି। ତେବେ ବେଶୀ ଆଶ୍ଚର୍ଯ୍ୟ ଲାଗିଲା, ମୋ ଝିଅ ପାଠ ପଢ଼ିଲା ବେଳେ ବି ଖେଳିବ ବୋଲି ଜିଦି କରି ମାଡ଼ ଗାଳି ଖାଉଥିବା ତା ଜିଦିଆ ସାଙ୍ଗଟି ନିଜ ଘର ଲୋକଙ୍କ କଥା ମାନି ବାରଣ୍ଡାକୁ ସୁଦ୍ଧା ନ ଆସି ଘର ଭିତରେ ବନ୍ଦୀ ହେଇ ରହିବା। ଅବଶ୍ଯ ସେ ବାହାରକୁ ଆସିବା ବେଳେ ତାକୁ ତାଙ୍କ ଘର ଲୋକ ଗାଳି କରିବାଟା ପଡ଼ିଲା ମୋ କାନରେ।
ମୋ ଝିଅ ଆଦୌ ଜିଦିଆ ନୁହେଁ। ମତେ ବେଶୀ କଷ୍ଟ କରିବାକୁ ପଡ଼େନି ତାକୁ ବୁଝେଇବାକୁ। ତା ସାଙ୍ଗ କାହିଁକି ଆସୁନି ପଚାରିଲା ତ ପଦେ କହି ବୁଝେଇ ଦେଲି। ସେ ରହିଲା ସେତିକିରେ। ତେବେ ମନ ଦୁଃଖ କଲା ଢେର୍। ପଚାରିଲା ବି: ମାମା, ଆମେ ଦୁଇଜଣ ତ ଝଗଡ଼ା ଲାଗିନୁ, ତା ହେଲେ ଆମେ କାହିଁକି ସାଙ୍ଗ ହେଇ ଖେଳି ପାରିବୁନି?
ତା ଏ ନୀରିହ ପ୍ରଶ୍ନର ଉତ୍ତର ନଥିଲା ମୋ ପାଖରେ। କଣ ଉତ୍ତର ଦେବି ଜାଣି ପାରିଲିନି। ଭାବୁଥିଲି, ନିଜ ନିଜ ଭିତରର ତିକ୍ତତା ଲାଗି ପିଲାଙ୍କ ସେ ନିଷ୍ପାପ ମନକୁ ବିଷାକ୍ତ କରିବା କେତେ ଦୂର ସମୀଚୀନ?
ପିଲାମାନଙ୍କୁ ସିନା କିଛି ଗୋଟେ କହି ଭୂତେଇ ଦେଇ ହବ, ହେଲେ ଏ ଅବୁଝା ବଡ଼ ମାନଙ୍କୁ ବୁଝେଇବ ବା କିଏ!!

ପରଦିନ ଶୁଣିବାକୁ ପାଇଲି ତା ସାଙ୍ଗ ମୁହଁରୁ ଗୀତଟିଏ। ସେଇ ଉପରେ ଥାଇ ଗାଉଥିଲା ମୋ ଝିଅ ସ୍କୁଲ୍ ରେ ବୋଲା ହଉଥିବା ଗୀତ:
ଆଓ ହମ୍ ସବ୍ ହାଥ ମିଲାଏ
ଦିଲ୍ ସେ ଦିଲ୍ ତକ୍ ରାହ ବନାଏ

ଆଉ ତା ସହ ପାଳି ଧରି ମୋ ଝିଅ ତଳେ ଥାଇ ଗାଉଥିଲା:
ରାହ୍ ବନାଏ ରେ!
ଖୁସି ହଉଥିଲି, ଆମ ବଡ଼ ମାନଙ୍କ ମନର ବିଷ ସେ ନିଷ୍ପାପ କଳି ମାନଙ୍କୁ ଛୁଇଁ ସୁଦ୍ଧା ପାରିନି ଦେଖି…

©Lipsa Panda

ଯେବେ ଜହ୍ନଟେ ଆସି, ମୋ କୋଳେ ପଡ଼ିଲା ଖସି…

ରାଜକୁମାରୀକୁ ଜହ୍ନ ଖୁବ୍ ଭଲ ଲାଗେ। ଅନେକ ସମୟରେ ଜହ୍ନକୁ ଅପଲକ ନେତ୍ରରେ ଚାହିଁରହେ ସେ। ଖୁବ୍ କୌତୁହଳ ଥାଏ ତା ମନ ଭିତରେ। କେମିତି ଥିବ ଏଇଠୁ ରୂପା ପେଣ୍ଡୁଳା ପରି ଦିଶୁଥିବା ସେ ରାଇଜଟା!

ଭାରି ମନ ହୁଏ ତା’ର, ସେଇ ରାଇଜକୁ ଥରେ ବୁଲି ଯାଆନ୍ତା ସେ…

ସମୟକ୍ରମେ ବାହାଘର ହେଲା ସେଇ ରାଜକୁମାରୀର । ରାଜକୁମାରୀ ରୁ ରାଣୀ ପାଲଟିଲା ସେ। ଜ୍ୟୋତ୍ସ୍ନା ବିଧୌତ ରାତିରେ ଯେବେ ଜହ୍ନର ସେ ଶୀତଳ ଚାନ୍ଦିନୀ ଧରାରେ ରୂପା ଚୂର୍ଣ୍ଣ ପରି ବିଛେଇ ପଡ଼ିଥାଏ, ରାଣୀ ଜହ୍ନ ଆଡ଼କୁ ଅଙ୍ଗୁଳି ଦେଖେଇ ଅଳି କରେ ତା ରାଜାଙ୍କ ଆଗରେ: ମତେ ଥରେ ନେଇଚାଲ ନା ସେଇ ରାଇଜକୁ!
ରାଜା କିଛି କହନ୍ତିନି। ରାଣୀର ପିଲାଳିଆମୀ ଦେଖି ଖାଲି ହସି ଦିଅନ୍ତି ଟିକେ।
ଏମିତି ଏମିତିରେ କିଛି ବର୍ଷ ବିତିଗଲା। ହଠାତ୍ ଦିନେ ରାଣୀ ଅନୁଭବ କଲା ତା ଗର୍ଭରେ ଆଉ ଏକ ଜୀବନର ସତ୍ତା। ଜହ୍ନ ପରି ଉଜ୍ଜଳି ଉଠିଲା ତା ମୁହଁ। ଅମାବାସ୍ୟାରୁ ପୁର୍ଣ୍ଣିମା ଆଡ଼କୁ କ୍ରମ ବିକଶିତ ହେଉଥିବା ଶଶି ଭଳି ବିକଶିତ ହଉଥାଏ ସେଇ କୁନି ସତ୍ତାଟି ତା ଭିତରେ। ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ସେଇ କୁନି ସତ୍ତାଟି ପୂର୍ଣ୍ଣ ବିକଶିତ ରୂପ ନେଇ ରାଣୀ କୋଳକୁ ଆସିଲା ଦିନେ।
ଆଃ! ଏ କଣ! ରାଣୀ ଏତେଦିନ ଧରି ଯୋଉ ଜହ୍ନ ପାଖକୁ ଯିବାକୁ ଅଳି କରୁଥିଲା, ଏ ଯେ ଠିକ୍ ସେଇ ଜହ୍ନ! ତା ମନ ଜାଣି ଇଶ୍ଵର ତା’ରି କୋଳରେ ଆଣିଦେଲେ ତା ଏତେ ଦିନର ବାଞ୍ଛିତ ଚିଜଟି।
ସେଇ ଜହ୍ନକୁ କୋଳରେ ଧରୁ ଧରୁ କେଉଁ ଏକ ଅଜଣା ପୁଲକରେ ଭରିଗଲା ରାଣୀର ମନ।
ଇପ୍ସିତ ଚିଜକୁ ପାଖରେ ପାଇବାର ଅନୁଭୂତି ଏତେ ମିଠା ନା!!

ରାଣୀ ସେଇ ଜହ୍ନ ସହ ହସିଲା, ଖେଳିଲା, ହଜିଲା, ମଜ୍ଜିଲା ଆଉ ନିଜର ସବୁ ଦୁଃଖ ଭୁଲିଗଲା ତା’ ର ଦରୋଟି ହସ ଆଉ ଗୁଲୁଗୁଲିଆ କଥା ଶୁଣି।

ଏବେ ସେଇ ଜହ୍ନ ବଡ଼ ହେଇ ଗଲାଣି। ବୟସରେ ଯେତିକି ନୁହେଁ, ମନରେ ବେଶୀ ବଢ଼ି ଗଲାଣି । ମାମାର ଶୁଖିଲା ମୁହଁ ଦେଖି ମା’ ଟିଏ ପରି ବୁଝିପାରେ ତା ମନ କଥା। ମା’ କୋଳରେ ମୁହଁ ଗୁଞ୍ଜି କହେ: “ମାମା, ମନ ଦୁଃଖ କରେ ନା। ମୁଁ, ତୋ ଗେଲ୍ହା ଧନ ପରା ଅଛି ତୋ ପାଖରେ” । କିଛି କହିବା ଦରକାର ପଡ଼େନି ତାକୁ ଆଜିକାଲି। ସବୁ ଦେଖି, ଶୁଣି ବୁଝିଯାଏ । ମା’ ମନ ଦୁଃଖ ଥିଲେ ତା ଓଠକୁ ଧରି ଗୀତ ଗାଇ ଶୁଣାଏ: ମେ ସବସେ ଛୋଟି ହୁଁ, ତେରି ଗୋଦି ମେ ଶୋଉଁ…

ଆଉ ଯେବେ ମା’ ର ରିଂ ଟୋନ୍ ବାଜେ: “ଯେବେ ଜହ୍ନଟେ ଆସି ମୋ କୋଳେ ପଡ଼ିଲା ଖସି”, ସେ ଖିଲ୍ ଖିଲ୍ ହସି ଧାଇଁ ଆସି ଝୁଲି ପଡ଼େ ରାଣୀ ବେକରେ। ରାଣୀର ତ ଇଚ୍ଛା ହୁଏ ଏଇ ଜହ୍ନକୁ ଗଳାମାଳି କରି ବଞ୍ଚିଥିଲା ଯାଏଁ ଗଳାରେ ଝୁଲେଇବାକୁ। ହେଲେ ଜହ୍ନ ଯେ ଦୂର ରାଇଜର ଚିଜ।
ରାଣୀ ଜାଣେ, ଦିନେ ଏଇ ଜହ୍ନ ତା ଘରକୁ ଅମାବାସ୍ୟା କରିଦେଇ ଚାଲିଯିବ ସେଇ ଦୂର ରାଇଜକୁ। ଯୋଉଠୁ ରାଣୀ ତାକୁ ଦେଖି ତ ପାରୁଥିବ, ହେଲେ ହାତ ପାଉ ନଥିବ ତା ଯାଏଁ… 😢😢😢

© Lipsa Panda

ଦ୍ଵନ୍ଦ୍ଵ

ରିମା କଣ କରିବ କଣ ନାଇଁ ଭାବି ପାରୁନି। ମୁଣ୍ଡ ଖରାପ ହେଇ ଗଲାଣି ତାର। ଲଞ୍ଚ ଖାଇବା ସମୟ ହେଇ ଗଲାଣି। ଆଉ ହାତରେ ସମୟ ନାହିଁ ଅଲଗା କିଛି ତିଆରି କରିବାକୁ। ତା ଛଡ଼ା ସକାଳ ପହରୁ ଲାଗି ପାତି ଏତେ ସାରା ଆଇଟମ୍ ତିଆରି କରି ଥୋଇଛି ସେ! ହେଲେ ଏବେ କଣ କରିବା ଉଚିତ୍ ଭାବି ପାରୁନି । କାହାକୁ କିଛି ନ କହିଲେ ତ ସବୁ ପ୍ରବ୍ଲେମ୍ ସଲ୍ଭ ହେଇଯିବ । ହେଲେ ସେ ନିଜେ ଅପରାଧ ବୋଧରେ ମାଡ଼ି ପଡ଼ିବ ଯେ! ସେଇ କଥା ଭାବି ଭାବି ମୁଣ୍ଡ ଗୋଲ୍। ଏ ଭିତରେ ଶାଶୁ ଥରେ କିଚେନ୍ କୁ ଆସି ତା ଚିନ୍ତିତ ମୁହଁ ଦେଖି କଣ ହେଇଚି ବୋଲି ପଚାରି ସାରିଲେଣି। ହେଲେ ସେ ଡରରେ ତାଙ୍କୁ କିଛି କହି ପାରିଲାନି।

କଣ କହିଥାନ୍ତା ଯେ! ସକାଳ ପହରୁ ଲାଗି ଲାଗି ଏତେ କଷ୍ଟ କରି ଯାହା ସବୁ କାମ କରିଥିଲା, ତାର ଗୋଟେ ଛୋଟିଆ ଭୁଲ୍ ପାଇଁ ସବୁ ନଷ୍ଟ ହେଇଗଲା! ଶାଶୁ ବି କୋଉ ଶୁଣି କିଛି ଗୋଟେ ବିକଳ୍ପ ବତେଇ ଦେବେ ଯେ! ଖାଲିଟାରେ ଯାହା ବହେ ଶୁଣିବ ସେ।
ସେ ବି ଆଜି ଦିନକରେ କଥା ସରିବନି। ଜୀବନ ଯାକ ପାଇଁ ତାଙ୍କ ମେମୋରି ଭିତରେ ଷ୍ଟୋର୍ ହେଇ ରହିବ ଏ କଥା। ବେଳ କାଳ ଦେଖି ଢାଙ୍କୁଣୀ ଖୋଲି ବାହାରି ଆସିବ ତାକୁ ଖୁଣ୍ଟା ଦବା ପାଇଁ।

ହେଲେ କଣ କରିବ ସେ ଏବେ! ଶ୍ଵଶୁର, ସ୍ଵାମୀ କେବେ ବି ଲଞ୍ଚ ସମୟରେ ଘରେ ଖାଆନ୍ତିନି। କୋଉ ଗୋଟେ କାରଣ ପାଇଁ ଆଜି ମିଟିଂ ସବୁ କ୍ୟାନସେଲ୍ ହେଇଚି ବୋଲି ଦଶଟା ବେଳକୁ ଫୋନ୍ କରି ଜଣେଇ ଦେଇଥିଲେ ଦୁହେଁ ଆଜି ଘରକୁ ଆସିବେ ଲଞ୍ଚ ପାଇଁ। ରୋଷେୟା ସକାଳୁ ଶାଶୁ ବୋହୂ ଦୁହିଁଙ୍କ ପାଇଁ ଯାହା କିଛି ବନେଇ ଚାଲି ଯାଇଚି। ଏଣେ ଏତେ ଦିନ ପରେ ସମସ୍ତେ ମିଳିମିଶି ଖାଇବେ ବୋଲି ଶାଶୁ ବରାଦ କଲେ ଆଉ କିଛି ଭଲ ଆଇଟମ୍ କରି ରଖିବାକୁ। ନିଜେ ସେଇମିତି ଟିଭି ଆଗରେ ବସି ରହିଲେ। ସେ ତାର ଏକା ଏକା ଲାଗି ଆଉ ଚାରି ପାଞ୍ଚ ଠା’ ତିଆରି କରିଥିଲା। ଖାଲି ପୁଅକୁ ମା’ ହାତର ଦହି ବାଇଗଣଟା ଭାରି ପସନ୍ଦ ବୋଲି ଶାଶୁ କହି ଦେଇଥିଲେ: ସବୁ ରୋଷେଇ ସରିଲେ ବାଇଗଣ କାଟି ଛାଣିଦେଇ, ଦହି ଫେଣ୍ଟିଦେଇ, ଛୁଙ୍କ ପାଇଁ ରସୁଣ, ଲଙ୍କା ଛେଚି ଦେଇ ତାଙ୍କୁ ଡାକିବାକୁ। ସେ ଆସି ପୁଅର ମନ ପସନ୍ଦ ଦହି ବାଇଗଣ ନିଜ ହାତରେ ତିଆରି କରିଦେବେ।

ସେ ବି ବରାଦ ମୁତାବକ ସବୁ ସାରିଥିଲା। ସବୁ ତରକାରୀ ତିଆରି କରି ସାରି ସ୍ଲାବ୍ ଉପରେ ରଖି ଧନିଆଁ ପତ୍ର କାଟୁଥିଲା ସବୁ ଉପରେ ଟିକେ ଟିକେ ପକେଇବ ବୋଲି। କୋଉଠି ଥିଲା ସେ ନିଆଁ ଲଗା ଛିଙ୍କ, ଠିକ୍ ସେତିକିବେଳକୁ ଆସିଲା। ଆଉ ସେ କାଟିବା ଜାଗାରୁ ବାଆଁ ପଟକୁ ମୁହଁ ବୁଲେଇ ଛିଙ୍କି ସାରିବା ପରେ ହୃଦୟଙ୍ଗମ କଲା ଯେ ପଲଉ ଠୁ ଆରମ୍ଭ କରି ଦାଲ ଫ୍ରାଇ ଆଉ ତିନି ଚାରି ପ୍ରକାର ତରକାରୀ ସବୁ ସେଇପଟେ ହିଁ ଥୁଆ ହେଇଚି। ଖାଲି ଥୁଆ ହେଇନି, ଧନିଆଁ ପତ୍ର ପଡ଼ିବ ବୋଲି ଢାଙ୍କୁଣୀ ବି ଖୋଲା ହେଇଚି।

ଛିଙ୍କିଲା ବେଳେ ସିନା ଆଖି ବୁଜି ହେଇ ଯାଇଥିଲା! ହେଲେ ଏବେ ଏତେ ସାରା ଖାଇବା ତା ଅଇଁଠା ହେଇ ଯାଇଚି ଜାଣିବା ମାତ୍ରେ ଶାଶୁ ଯୋଉ ଘରକୁ ଉଠେଇବେ ଆଉ ପକେଇବେ, ସେଇ କଥା ଭାବି ଭାବି ଡରରେ ଫେର୍ ତା ଆଖି ମୁଦି ହେଇ ଯାଉଚି।

ମନେ ପଡ଼ି ଯାଉଚି ତାର ଗଲା ସପ୍ତାହ କଥା।

ସମସ୍ତେ ଖାଇ ସାରିବା ପରେ ସେ ଡାଇନିଂ ଟେବଲ୍ ଉପରେ ବସି ଜଳଖିଆ ଖାଉଥାଏ। ଶାଶୁ ସୋଫା ଉପରେ ବସି ଟିଭି ଦେଖୁଥାନ୍ତି। ଶ୍ୱଶୁର ବେଡ୍ ରୁମ୍ ରୁ ଡାକ ଛାଡ଼ିଲେ ପାଣି ଗ୍ଲାସେ ଦେଇଦେବା ପାଇଁ। ଶାଶୁ ସେମିତି ନ ଶୁଣିବା ଭଳି ପଥର ହେଇ ଟିଭି ଦେଖୁଥାନ୍ତି। ବିରକ୍ତ ଲାଗିଲେ ବି ସେ ଅଧା ଖିଆରୁ ଉଠି ପାଣି ନେଇ ଗଲା ଶ୍ୱଶୁରଙ୍କୁ ଦବାକୁ। ଚାମଚରେ ଖାଉଥିଲା ଜଳଖିଆ। ତଥାପି ହାତ ନ ଧୋଇ ଅଇଁଠା ହାତରେ ଶ୍ୱଶୁରଙ୍କୁ ପାଣି ଦେଲା ବୋଲି ଶାଶୁ ରଡ଼ି ଛାଡ଼ିଲେ ଯେ ଛାଡ଼ିଲେ।
“ହଁ ମ, ଅଇଁଠା ଗୋଟେ କଣ! ବୋହୂ ତ, କୋଉ ଦାଣ୍ଡ ଲୋକ ହେଇଚି ଯେ! ତା ଛଡ଼ା ସେ ତ ଚାମଚରେ ଖାଉଥିଲା। ହାତରେ ପାଣି ଗ୍ଲାସକୁ ଢାଳିଲା, ଆଉ ଅଇଁଠା ହେଲା କେମିତି” ବୋଲି ଶ୍ଵଶୁର ବାରମ୍ବାର କହିବା ସତ୍ତ୍ଵେ ବି ସେ କର୍କଶ କ୍ରନ୍ଦନ ବନ୍ଦ ହେଲାନି। ଶ୍ଵଶୁର ଓ ସ୍ଵାମୀ କେମିତି ଗୋଟେ ବିକଳ ଚାହାଣିରେ ରିମାକୁ ଚାହିଁ ଚାହିଁ ଶୀଘ୍ର ଅଫିସ୍ ବାହାରି ଗଲେ ସେଦିନ।

ଆଉ ଆଜି ତା ଛିଙ୍କ ଯୋଗୁ ଖାଇବାରେ ଗୋଟେ ଦୁଇ ଠୋପା ଛେପ ପଡ଼ି ଯାଇ ଥାଇପାରେ ବୋଲି କୋଉ ସାହସରେ କହିବ ସେ ତାଙ୍କୁ!!

ଠାକୁରଙ୍କୁ ମନେ ମନେ ଡାକୁଥାଏ, ହେ ପ୍ରଭୁ । କିଛି ଗୋଟେ ହେଇ ସେ ଦୁଇଜଣ ଆଜି ଖାଇବାକୁ ନ ଆସନ୍ତୁ। ସେଇ ଗୋଟେ ବାଟ ଏବେ ତା ଆଗରେ। ଆଉ ସେମିତି ହେଲେ ଶାଶୁ ରାଗିକି ସେ ଖାଇବା ଖାଇବେନି ମୋଟେ ଆଉ ତାକୁ ବି ଖାଇବାକୁ ଦେବେନି। ସବୁ ଫିଙ୍ଗିବେ ନେଇ ଡଷ୍ଟବିନ୍ ରେ। ଆଗରୁ ଏମିତି ହେଇଚି କେତେଥର। ଉପାସ ରହିଲେ ରହିବ ପଛେ, ଏ ଧର୍ମ ସଙ୍କଟରୁ ତ ବଞ୍ଚିଯିବ!

ହେଲେ ନା! ଭଗବାନ ତା ଡାକ ଶୁଣିଲେନି। ଡ୍ରଇଂ ରୁମ୍ ରେ ଶାଶୁଙ୍କ ଫୋନ୍ ବାଜିଲା। ସେ କାନେଇ ଶୁଣିବାକୁ ଚେଷ୍ଟା କଲା। କଥାବାର୍ତ୍ତାରୁ ଯାହା ବୁଝିଲା ସେମାନେ ଅଫିସ୍ ରୁ ବାହାରି ଆସିଲେଣି। ଆଉ ଦଶ ମିନିଟ୍ ରେ ଘରେ ପହଞ୍ଚି ଯିବେ। ବଢା଼ବଢି଼ କରିବାକୁ କହିଲେ ବୋଧେ, ଶାଶୁ ତାଙ୍କ ଆସ୍ଥାନରୁ ଉଠିଲେ।

ସେ ଟିକେ ସାଇଡ ହେଇ ଠିଆ ହେଇଗଲା। ଶାଶୁ ଆସି କଡ଼େଇ ଗ୍ୟାସ୍ ଉପରେ ଥୋଇ ତେଲ ଢାଳିବାକୁ କହିଲେ। ଛୁଙ୍କ କଲେ ଦହି ବାଇଗଣ ତିଆରି କରିବେ ସେ। ଏଠି ଠିଆ ହେଇଥିଲେ ସବୁ ଗୋଟେ ଗୋଟେ କରି ପକେଇବାକୁ କହିବେ ତାକୁ। ଖାଲି ଖଡ଼ିକା ହଲେଇବେ ସେ। ଆଉ ତା ପରେ ଭଲ ହେଲା ଯଦି ପୁରା କ୍ରେଡିଟ୍ ନିଜେ ନେବେ। କିନ୍ତୁ ଟିକେ କିଛି ବିଗିଡ଼ି ଗଲା ଯଦି ମୁଁ ତାକୁ ଏତିକି ପକା କି ଅମୁକ କର କହୁଚି, ସେ ତ ଏମିତି କରିଦେଲା କହି ସବୁ ଦୋଷ ରିମା ମୁଣ୍ଡରେ ଲଦିଦେବେ।
“ମା, ଯାଉଚି ସେ ନୂଆ କଟଲେରୀ ସେଟ୍ ଟା ଥାକରୁ କାଢ଼ିଦେବି। ସେଇଥିରେ ବାଢ଼ିଲେ ଖାଇବା ସବୁ ସୁନ୍ଦର ଦିଶିବ। ଖାସ୍ କରି ଦହି ବାଇଗଣଟା ସେ ଅରେଞ୍ଜ ସେଟ୍ ରେ ବଢ଼ିଆ କଣ୍ଟ୍ରାସ୍ଟ ହବ” କହି ତେଲେଇ ତାଲେଇ ସେଇଠୁ ଖସିଲା ରିମା। କିଛି ସମୟ ପରେ ଶାଶୁ ଡାକ ଛାଡ଼ିଲେ ଖାଇବା ସବୁ ନେଇ ଆସି ଡାଇନିଂ ଟେବୁଲ ରେ ରଖିବାକୁ।

ସେ କିଚେନ୍ କୁ ଯାଉ ଯାଉ ଶାଶୁଙ୍କ ନିର୍ଦ୍ଦେଶ ଧନିଆଁ ପତ୍ର କାଟି ଦହି ବାଇଗଣ ଉପରେ ପକେଇ ଦବାକୁ। ସେ ପତ୍ର ପକେଇବାକୁ ଯାଉଚି ଦେଖିଲା ମାଛି ଗୋଟେ ପଡ଼ିଚି ସେଥିରେ। ଶାଶୁଙ୍କୁ କହିଲା ମାଛି କଥା। ଶାଶୁ କହିଲେ ତାକୁ ଚାମଚରେ କାଢ଼ି ଫିଙ୍ଗି ଦବାକୁ। ସେ ମାଛିକୁ ଫୋପାଡ଼ିବ କି ନାଇଁ ଟିକେ ଥତମତ ହେବା ଦେଖି ଖାଉଁ କରି ଶାଶୁ କହି ପକେଇଲେ: ଏତେ କଷ୍ଟ କରି ତିଆରି କରିଚି! ଏତେ ସାରା ଦହି ବାଇଗଣ ଫୋପଡ଼ା ହବ ନା କଣ! ମାଛିଟେ ପଡ଼ିଚି ତ। କୋଉ ସାପ ବାଘ ପଡ଼ିଚି ନା କଣ!

ଏବେ ଗୋଟି ଗୋଟି କରି ଖାଇବା ପାତ୍ର ସବୁ ଡାଇନିଂ ଟେବୁଲ୍ କୁ ବୋହି ନଉ ନଉ ତା ଦ୍ଵନ୍ଦ୍ଵର ସମାଧାନ ପାଇ ମୁରୁକି ହସୁଥିଲା ରିମା ଆଉ ମନେ ମନେ ଭାବୁଥିଲା: କେତେ ଯେ କଷ୍ଟ ନ କରିଛନ୍ତି ତା ଶାଶୁ ମା!! 

© Lipsa Panda

ସାହିତ୍ୟ ରାଜନୀତି

ସେ କହିଲେ ସାହିତ୍ୟିକ ମାନେ ରାଜନୀତି ଉପରେ ଲେଖିବା କଥା ନୁହେଁ।

‘ସେ’ ଯେତେବେଳେ ଅନୁଭବୀ, ନିଶ୍ଚୟ ଠିକ୍ କହୁଥିବେ ବୋଲି ଭାବିନେଲି। ମୁଁ କହିଲି ହଉ ତେବେ।
ଆଉ ରାଜନୀତି ଉପରେ କିଛି ନ ଲେଖି ସାହିତ୍ୟରେ ମନ ଦେଲି।

ଇଚ୍ଛା ଅନିଚ୍ଛା ସତ୍ତ୍ୱେ ଯୋଡ଼ି ହେଇଗଲି ଅନେକ ଛୋଟ ବଡ଼ ସାହିତ୍ୟିକମାନଙ୍କ ସହ। ଆଉ ସାହିତ୍ୟ ଜଗତର ନିକଟତର ହେଇ ଜାଣିଲି: ଏଠି କୋଉ ରାଜନୀତି କମ୍ କି!
ନେତାଏ ତ ରାଜନୀତି କରନ୍ତି ତାଙ୍କ ପେଶା ବୋଲି।
ହେଲେ ଏ ସାହିତ୍ୟିକ ମାନେ?

ଅଣନିଶ୍ବାସୀ ଲାଗିଗଲା ସେଠି ଗୋଷ୍ଠୀବାଦ, ବେପାର, ଝଗଡ଼ା, ଆରୋପ, ପ୍ରତ୍ୟାରୋପ, ଇର୍ଷା, ଅସୂୟା, ଦ୍ୱେଷ, ଗୋଡ଼ଟଣା, ପରଚର୍ଚ୍ଚା, ଚୁଗୁଲି, ଚୋରୀ, ଡକାୟତି, ମିଥ୍ୟାଚାର, ତୋଷାମଦୀ, ଗୁଜବ ଦେଖିଦେଖି!

ପୁଣି ମୁହଁ ଫେରେଇ ଆଣିଲି ସେ ସାହିତ୍ୟ ଦୁନିଆଁ ଆଡ଼ୁ…

© Lipsa Panda

  ଆତ୍ମନିର୍ଭରଶୀଳ

ଏଇ ସପ୍ତାହ ଥିଲା PI planning week. ଡେରି ରାତି ଯାଏଁ  ମିଟିଂ। ଦିନକୁ ଛଅ/ସାତ ଘଣ୍ଟା କଲ୍ ରେ ବସିବା ପରେ କାନ ଗରମ୍ ହେଇ ପ୍ରବଳ ମୁଣ୍ଡ ବିନ୍ଧା। କଲ୍ ସରୁ ସରୁ ହେଡ ଫୋନ୍ ଫୋପାଡ଼ି ଦେଇ ଛାତ ଉପରକୁ ଦୌଡ଼ି ଯିବାକୁ ମନହୁଏ ଟିକେ ଥଣ୍ଡା ପବନ ନିଶ୍ଵାସରେ ଟାଣି ନବାକୁ। ଟିକେ ନିରୋଳାରେ ବସିବାକୁ।

ହେଲେ ଛାତ ଉପରେ ନିରୋଳା ଆଉ କାହିଁ! ବିଲଡିଂ ର ସବୁ ଲୋକ ତ ସେଇଠି।

ଆମ ଆପାର୍ଟମେଣ୍ଟଟି ଆଠ ପରିବାର ବିଶିଷ୍ଟ। ତା ଭିତରୁ କିଛି ଘର କେବଳ ଶୈଳ ନିବାସ ସମ ବ୍ୟବହୃତ ହୁଏ। ମାନେ ବର୍ଷସାରା ଅଲଗା ସହରରେ ରହୁଥିବା ମାଲିକ ଖରା ଛୁଟି କାଟିବାକୁ ଆସନ୍ତି ଏଠିକି। ତେଣୁ ତାଙ୍କୁ ଜାଣିବା ଅବକାଶ ଏମିତିରେ ତ ଖୁବ୍ କମ୍। ହେଲେ ଏଇଠି ସ୍ଥାୟୀ ଭାବରେ ରହୁଥିବା ଲୋକଙ୍କୁ ବି ସେତେ ବେଶୀ ଜାଣି ନଥିଲୁ। କାରଣ ଆମ ମାନଙ୍କ ଜୀବନ ଶୈଳୀ। ସକାଳୁ ଘରୁ ବାହାରି ରାତିରେ ଫେରୁ କେବଳ ଶୋଇବାକୁ।  ଆମର ଉପର ମହଲାରେ ଘର ହେତୁ ଶନି ରବିବାରରେ କେବେ କେମିତି ଛାତକୁ ଯାଉ ଆମେ। ସେଇଠିକି କେବେ କିଏ ଯିବା ଆସିବା କରିବା ପ୍ରାୟତଃ ଦେଖାଯାଏ ନାହିଁ। ଅତଏବ ସମାନ ବିଲଡିଂ ରେ ରହିବା ସତ୍ତ୍ଵେ ଅନ୍ୟମାନଙ୍କୁ ବାହାରେ କୋଉଠି ଦେଖିଲେ ଚିହ୍ନିବାର ଅବକାଶ ହିଁ ନଥିଲା। ଆମ ଫ୍ଲାଟ୍ ସଂଲଗ୍ନ ପରିବାରଟିକୁ ବି ନୁହେଁ।

ତେବେ ଏ କରୋନା ଆମକୁ ଆମ ପଡ଼ୋଶୀ ମାନଙ୍କୁ ଚିହ୍ନେଇ ଦେଲା।

ବାହାରକୁ ନ ଯିବା ହେତୁ ବିଲଡିଂ ର ସମସ୍ତେ ଖରା ଢଳିବା ମାତ୍ରେ ଛାତ-ମୁହାଁ। ପାଖାପାଖି ନ ଆସିଲେ ବି ଖଣ୍ଡେ ଦୂରରେ ଠିଆ ହେଇ ଭାବ ବିନିମୟ ହେଇ ଯାଉଚି ପରସ୍ପର ସହ। ସେହି କ୍ରମରେ ମୁଁ ଭେଟିଥିଲି ଆମ ସାଇଡ ଘରେ ନୂଆକରି ଆସିଥିବା ଆମ ପଡ଼ୋଶୀଙ୍କୁ। ସ୍ଵଳ୍ପ ବାର୍ତ୍ତାଳାପ ଭିତରେ ଜାଣିବାକୁ ପାଇଥିଲି ତାଙ୍କ ପରିବାରଟି “ହିନ୍ଦୀ ମିଡିୟମ” ଚଳଚ୍ଚିତ୍ରର ପରିବାରଟି ଭଳି। ଉଚ୍ଚ ଶିକ୍ଷିତ ତ ନୁହନ୍ତି, ତେବେ ବାପ ଅଜାଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ପ୍ରାପ୍ତ ଏଠିକାର ସମ୍ଭ୍ରାନ୍ତ ଅଞ୍ଚଳର ଗୁଡ଼ାଏ ଜମିଜମାର ସଦୁପଯୋଗ କରି ପାରିଛନ୍ତି। ସେହି ସବୁ ଜମିରେ ବହୁ ତଳ ବିଶିଷ୍ଟ ପ୍ରାସାଦ ତଥା ବଖୁରିକିଆ ରୁ ଆରମ୍ଭ କରି ବିଭିନ୍ନ ଆୟ ବର୍ଗର ପରିବାରକୁ ସୁହାଇଲା ଭଳି ଘର ତିଆରି କରି ସେସବୁ ଭଡ଼ା ସୂତ୍ରରେ ଦେଇ ସେଇଥିରୁ ଗୋଟିଏରେ ନିଜେ ରହୁଥିଲେ। ମାତ୍ର ଆମ ଏରିଆରେ ତାଙ୍କରି ପୁଅ ଦ୍ୱୟଙ୍କ ସ୍କୁଲ୍ ଥିବାରୁ, ନିଜ ଘର ଛାଡ଼ି ଆମ ଆପାର୍ଟମେଣ୍ଟରେ ଭଡ଼ା ସୂତ୍ରରେ ରହିବାକୁ ବାଧ୍ୟ ହେଉଛନ୍ତି ଏବେ। ତେବେ କଥା ଛଳରେ ନିଜେ ଏତେ ସାରା ଘରର ମାଲିକ ହେଇ ଏଠି ଭଡ଼ାଘରେ ରହିବାକୁ କିଭଳି ଭାବେ ପ୍ରବଳ ଅଶ୍ୱସ୍ତିକର ଅନୁଭବ କରୁଛନ୍ତି, ସେଇ ମାନସିକ ଦୁଶ୍ଚିନ୍ତାଟି ପ୍ରକଟ କରି ସାରିଥାନ୍ତି ଆଗରୁ ମୋ ସାମ୍ନାରେ। ଆଉ ସେତିକି ଶୁଣିବା ପରେ ଆମ ନିଜର ଗାଁ ରେ ଯଥେଷ୍ଟ ଜାଗା, ଘର, ଜମିଜମା ଥିବା ସତ୍ତ୍ଵେ, ଆମେ ବି ଏଇଠି କିଭଳି ହଜାରେ square feet ବିଶିଷ୍ଟ ଦୁଇ ବଖରା ଘର କିଣି, ତା ଭିତରେ କେବଳ ଚଳ ପ୍ରଚଳ ହେବା ଯୋଗ୍ୟ ସ୍ଥାନ ଛାଡ଼ି ବାକି ସବୁ ଜାଗାରେ ଆବଶ୍ୟକ, ଅନାବଶ୍ୟକ, ଅତ୍ୟାବଶ୍ୟକ ସାମଗ୍ରୀ ସବୁ ଖୁନ୍ଦିଖାନ୍ଦି ରଖି ବାଇ ଚଢ଼େଇ ବସା ତିଆରିଛୁ, ସେଇ କଥାଟି ମନେ ପଡ଼ି ଭାରାକ୍ରାନ୍ତ ହେଇ ସାରିଥିଲା ମୋ ମନ।

ଆଉ ଆମେ ବାରମ୍ବାର ଏ ଜାଗା ଛାଡ଼ି ଓଡ଼ିଶା ଫେରି ଯିବାକୁ କରିଥିବା ସମସ୍ତ ବିଫଳ ପ୍ରୟାସ ଜନିତ ମନ ଭିତରେ ଚାପି ହେଇ ରହିଥିବା ଦୁଃଖଟି ପୁଣି ଥରେ ଉଖାରି ହେଇ ରୁଗ୍ ରୁଗ୍ ପୋଡ଼ିବା ଆରମ୍ଭ କରିଥିଲା।

ତେବେ ଗତକାଲିର ଅନୁଭବଟି ଥିଲା ସ୍ଵତନ୍ତ୍ର। ଦୀର୍ଘ ସପ୍ତାହେ ହେଲା ସେମାନେ ମତେ ଦେଖିବାକୁ ପାଇ ନଥିଲେ। ଆଉ କାଲି ବି ଖାଇ ପିଇ ସାରି ସେମାନେ ଶୋଇବା ପୂର୍ବର ଥଣ୍ଡା ପବନ ସେବନ କରିବା ସମୟରେ ମୁଁ ଅଖିଆ ଅପିଆ ମୁଣ୍ଡକୁ ପିଟି ପିଟି ଉପରକୁ ଅଣନିଃଶ୍ବାସୀ ହେଇ ଦୌଡ଼ିବା ଦେଖି ମୋ ଗତ କିଛି ଦିନର ଅନୁପସ୍ଥିତି ସମ୍ପର୍କରେ ପଚାରି ମୋ ଠୁ ଅଫିସ କାମରେ ବ୍ୟସ୍ତତା ଯୋଗୁଁ ଛାତକୁ ସୁଦ୍ଧା ଯାଇ ନ ପାରିବା ଉତ୍ତରଟି ଶୁଣି, ସେ ମୋତେ ଯେଉଁ ମନ୍ତବ୍ୟଟି ଦେଲେ, ସେତିକି ଶୁଣି ଜଣେ ଦୁର୍ବଳମନା ବ୍ୟକ୍ତି ଲଜ୍ଜାରେ ଆତ୍ମହତ୍ୟା କରିଦବା ଥୟ!

ପଡ଼ୋଶୀ ମହିଳାଙ୍କ ଉତ୍ତର ଥିଲା: ତାଙ୍କରି ଭଡ଼ା ଘରେ ଭିନ୍ନ ଭିନ୍ନ ବୃତ୍ତି ଧାରୀ ଲୋକଙ୍କ ମଧ୍ୟରେ ରୁହନ୍ତି ଆମ ଭଳି ଜଣେ ଆଇଟି କମ୍ପାନୀରେ କାମ କରୁଥିବା ଦମ୍ପତ୍ତି। ସେ ସପ୍ତାହକୁ ଥରେ କି ଦୁଇଥର ଯେବେ ବି ନିଜ ଗୃହ ଦର୍ଶନ ସକାଶେ ଯାଉଛନ୍ତି ଆଜି କାଲି ସେ ଘରକୁ, ଅନ୍ୟ ସମସ୍ତଙ୍କୁ ଭେଟି ପାରନ୍ତି, କେବଳ ସେଇ ଇଂଜନିୟର ଦମ୍ପତ୍ତିଙ୍କୁ ଛାଡ଼ି। ଯେତେବେଳେ ଗଲେ ବି ସେମାନେ ହେଡ ଫୋନ୍ ଦେଇ ବସିଥିବେ କମ୍ପ୍ୟୁଟର ସାମ୍ନାରେ। ଆଉ ସେଇଆ ଦେଖି ଦେଖି ସେମାନେ ଏତେ ପରିମାଣରେ ବିରକ୍ତ ଓ କ୍ଲାନ୍ତ ଯେ ସେମାନେ ତାଙ୍କର ସଦ୍ୟ ଦଶମ ପରୀକ୍ଷା ଦେଇଥିବା ପୁଅକୁ ଇଞ୍ଜିନିୟରିଂ ନ ପଢ଼େଇବାକୁ ସ୍ଥିର କରି ସାରିଛନ୍ତି।

ତାଙ୍କରି କହିବା କଥା ହେଲା: ଏମିତିରେ ତ ତାଙ୍କର ଭଡ଼ାଘରୁ ମାସକୁ ଦୁଇଲକ୍ଷ ଟଙ୍କା ଆସିଯାଏ ଭଡ଼ା ବାବଦକୁ। କାହିଁକି ଛୁଆକୁ ଏତେ ପରିଶ୍ରମ କରିବାକୁ ବାଧ୍ଯ କରିବେ ସେ ଇଂଜିନିୟର କରି!
ତେବେ ମୁଁ ନିଜ ବୃତ୍ତିର ଏତାଦୃଶ ଅପମାନ ସହ୍ଯ କରି ନ ପାରି ଯୁକ୍ତି ରଖିଲି: ପାଠ ପଢ଼େଇ ଛୁଆକୁ ଶିକ୍ଷିତ କରିବାରେ ଅସୁବିଧା କୋଉଠି! ଚାକିରି ନ କରିପାରେ ଛୁଆ ଆଗକୁ ଯାଇ। ଆପଣ ମାନଙ୍କ କୌଳିକ ବୃତ୍ତି ଆପଣେଇ ନେଇପାରେ ହୁଏତ।
ତେବେ ତାଙ୍କ ଯୁକ୍ତି ମଧ୍ଯ ଥିଲା ଅକାଟ୍ଯ।

ଯଦି ଆମେ ସ୍ଥିର ନିଶ୍ଚିତ, ଆଗକୁ ଯାଇ ସେଇ କାମ କରିବନି ଆମ ଛୁଆ, ତେବେ ସେ ପାଠ ପଢ଼େଇ ଏତେ ସାରା ଟଙ୍କା ଖର୍ଚ୍ଚ କରିବୁ କିଆଁ! ସେତିକି ଟଙ୍କାରେ ଆଉ କିଛି ଜମି କିଣି ତା ନାଁ ରେ ରଖି ଦବୁନି କିଆଁ! ଜମି ରେଟ୍ ଯୋଉ ମାତ୍ରାରେ ବଢ଼ି ବଢ଼ି ଚାଲିଛି, ତା ଠାରୁ ଲାଭ ଜନକ ଆଉ କିଛି ଅଛି ଆଜିର ସମୟରେ!!!

ତାଙ୍କ ସେ ଅକାଟ୍ଯ ଯୁକ୍ତିରୁ ମୁକ୍ତିର ମାର୍ଗ ଖୋଜୁ ଖୋଜୁ ବୋଉ ଖାଇବାକୁ ଡାକିବାଟି ଅଥଳ ସମୁଦ୍ରରେ ବୁଡ଼ି ଯାଉ ଯାଉ ଡଙ୍ଗାଟିଏ ପାଇଯିବା ସଦୃଶ ଜୀବନଦାୟୀ ମନେ ହେଲା। ଖାଇବାକୁ ଯାଉଚି କହି ସେଇଠୁ ତ ଦଉଡ଼ି ଆସିଲି। ହେଲେ ତଳେ ଆସି ଟିଭି ଲଗେଇ ଦେଲା ବେଳକୁ news ରେ ଚାଲିଚି ମାନନୀୟ ପ୍ରଧାନମନ୍ତ୍ରୀଙ୍କ “ଆତ୍ମନିର୍ଭରଶୀଳ” ହେବାକୁ ଆହ୍ଵାନ ସମ୍ପକିର୍ତ ଖବର।

ପୁଣିଥରେ ସେଇ ପଡ଼ୋଶୀଙ୍କ କଥା ପଦକ ଢେଉ ସାଜି ମୋ ମୁଣ୍ଡ ସମୁଦ୍ରରେ ମାଡ଼ ହେବାକୁ ଲାଗିଲା। ଚାକିରୀ ପଛରେ ନ ଧାଇଁ ନିଜ ଗାଁ, ଘରେ ଥିବା ଜମି ବାଡ଼ିକୁ ନେଇ ଆତ୍ମନିର୍ଭରଶୀଳ ହେଇ ହେବ କି? ପ୍ରତିଥର କିଛି ଗୋଟେ କରିବାକୁ ଭାବିଲା ବେଳକୁ ବ୍ୟାପାର ସମ୍ଭନ୍ଧୀୟ କୌଣସି ପାରିବାରିକ ପୃଷ୍ଠଭୂମି ବା ଅଭିଜ୍ଞତା ନଥିବା ମନଟାକୁ ଅନିଶ୍ଚିତତା ଆଡ଼କୁ ପାଦ ବଢ଼େଇବାର ଡର ଆବୋରି ବସେ। ତା ଛଡ଼ା ଧୋୟା ଅଞ୍ଚଳ ହେତୁ ପ୍ରାୟ ବର୍ଷ ବଢ଼ି ଆସି ଜମି ଜମା ବୁଡ଼େଇ ଦଉଥିବା ହେତୁ ଅଞ୍ଚଳର ପ୍ରାୟ ଯୁବକ ଗାଁ, ରାଜ୍ଯ, ଦେଶ ଛାଡ଼ି ଅନ୍ୟ ଆଡ଼େ ଚାଲିଯିବା କଥାଟି ବି ଧସେଇ ପଶେ ମନକୁ।

ଜାଣିନି ଏ ମନ ଭିତରେ ନିଜ ଜନ୍ମଭୂମିକୁ ଫେରି ଯାଇ କିଛି କରିବା ସ୍ଵପ୍ନ ସାକାର ହେଇ ପାରିବ କି ନାହିଁ, ତେବେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଏ #ଆତ୍ମନିର୍ଭରଶୀଳ ହେବାର ଆହ୍ଵାନ ଯେ ମୋ ମନରେ ଢେର୍ ଦିନରୁ ମୃତବତ୍ ଶୋଇ ରହିଥିବା ଇଚ୍ଛାଟିକୁ ପୁଣିଥରେ ଅଙ୍କୁରିତ କରିଛି, ତାହା ନିଃସନ୍ଦେହ…

© Lipsa Panda
#lipilekhaa #ଲିପିଲେଖା

ଟେକ୍ନିକାଲ ଛୁଆ

କରୋନା ପାଇଁ ସ୍କୁଲ, ଡେ କେୟାର ସବୁ ବନ୍ଦ। ଛୁଆକୁ ଘରେ ଏକା ଛାଡ଼ିବା ଅସମ୍ଭବ। ବାଧ୍ୟ ହେଇ ଛୁଟି ନେଲି ଅଫିସ୍ ରୁ। ବାକି ସବୁ ପିଲାଙ୍କ ପରୀକ୍ଷା ତ ସରି ଯାଇଛି। କିନ୍ତୁ ମୋ ଝିଅ ସ୍କୁଲ୍ ରେ ପରୀକ୍ଷା ସରିନି। ଏକ ତିରିଶ ପରେ ପରୀକ୍ଷା କରି ଛୁଟି କରିବେ ଏକା ଥରେ।

ତେଣୁ ଘରେ ରହିବା ସମୟକୁ ତାକୁ ପାଠ ପଢ଼େଇ ଉପଯୋଗ କରାଯାଉ ବୋଲି ଭାବିଲି। ମୁଁ କିନ୍ତୁ ଟିଭି ଆଗରେ ବସି ରହିଥାଏ। ତାକୁ କିଛି ମିଶାଣ, ଫେଡାଣ, ଗୁଣନ, ହରଣ ଦେଇ, ବେଡ୍ ରୁମ୍ କୁ ଯାଇ ସେସବୁ କରିବାକୁ କହି, ମୁଁ ଡ୍ରଇଁ ରୁମ୍ ରେ ଟିଭି ଦେଖୁଥାଏ। ମନେ ମନେ ବିରକ୍ତ ବି ହଉଥାଏ ତା ସିଲାବସ୍ ତିଆରି କରିଥିବା ଲୋକ ଉପରେ। ସେକେଣ୍ଡ ଷ୍ଟାଣ୍ଡାର୍ଡ ଛୁଆକୁ ହରଣ ସୁଦ୍ଧା ପଢ଼େଇ ପକେଇଲେଣି! ଆମେ ତ ଦ୍ଵିତୀୟ ଶ୍ରେଣୀରେ ଏକ ରୁ ଶହେ ଯାଏଁ ସଂଖ୍ୟା ବିଷୟରେ ଜାଣିଥିଲୁ କି ନାଇଁ ସନ୍ଦେହ! ଏ ମିଶାଣ, ଫେଡାଣ ବହୁ ଦୂର କଥା…

କିଛି ସମୟ ପରେ କଣ ପାଇଁ ଗୋଟେ ବେଡ୍ ରୁମ୍ କୁ ପଶିଗଲି। ଯାହା ଦେଖିଲି ଆଉ ଶୁଣିଲି ମୋ ମୁଣ୍ଡ ଗୋଲ୍!!
ମୋ ଝିଅ ବେଡ୍ ରୁମ୍ ରେ ଥିବା ଆଲେକ୍ସା କୁ ଅନ୍ କରି ଗୋଟେ ପରେ ଗୋଟେ ପ୍ରଶ୍ନ ପଢ଼ି ତାକୁ ଉତ୍ତର ପଚାରି ଚାଲିଛି ଆଉ ସେଇ ଉତ୍ତର ତା ଖାତାରେ ଲେଖି ଚାଲିଛି!!!

ହଠାତ୍ ମନେ ପଡ଼ିଲା କୋଉଠି ଗୋଟେ(ଜହ୍ନମାମୁଁରେ ବୋଧହୁଏ) ପଢ଼ିଥିବା ଗୋଟେ ଗପ ।
ଗପ ଥିଲା ଏମିତି: ଥରେ ଜଣେ ପଥଚାରୀ ରାସ୍ତାରେ ଯାଉ ଯାଉ ଦେଖିଲେ ଗୋଟିଏ ଘର ଆଗରେ ଦୁଇଟି ବଳଦ ବେଙ୍ଗଳା ପକେଇ ଚାଲିଛନ୍ତି। କିନ୍ତୁ ତାଙ୍କ ପାଖରେ ଆଉ କେହି ନାହାଁନ୍ତି। କିଛି ସମୟ ଠିଆ ହୋଇ ଏମିତି ଦେଖିବା ପରେ ସେ ନିକଟସ୍ଥ ଘର ଭିତରକୁ ଯାଇ ଦେଖିଲେ ଜଣେ ବ୍ୟକ୍ତି ତା ଭିତରେ ରୋଷେଇ କାମରେ ବ୍ୟସ୍ତ ।ପଥଚାରୀ ଗୃହସ୍ଥଙ୍କୁ ପଚାରିଲେ: ଆପଣ ବଳଦ ଦୁହିଁଙ୍କୁ ଛାଡ଼ି ଅଚିନ୍ତାରେ କେମିତି ଘର ଭିତରେ ବସିଛନ୍ତି?
ଗୃହସ୍ଥ ଉତ୍ତର ରଖିଲେ: ମୁଁ ବଳଦଙ୍କ ବେକରେ ଘଣ୍ଟି ବାନ୍ଧି ଦେଇଛି। ସେମାନେ ଯେବେ ଅଟକିଯିବେ, ତାଙ୍କ ବେକର ଘଣ୍ଟି ବାଜିବା ବନ୍ଦ ହେଇଯିବ। ଆଉ ମୁଁ ଯାଇ ପାଞ୍ଚଣରେ ପାହାରେ ଦେଇ ଆସିବି।
ଏବେ ଆଗନ୍ତୁକ ପ୍ରଶ୍ନ କଲେ: ହେଲେ ବଳଦ ଦୁହେଁ ଯଦି ନ ଚାଲି କେବଳ ଗୋଟିଏ ସ୍ଥାନରେ ଠିଆ ହେଇ ମୁହଁ ହଲାନ୍ତି, ତାହେଲେ ବି ତ ସେଇ ଘଣ୍ଟି ବାଜିବ! ଆପଣ ଜାଣିବେ କିପରି ସେମାନେ ଚାଲୁଛନ୍ତି କି ଠିଆ ହେଇଛନ୍ତି ବୋଲି?
ଗୃହସ୍ଥ ସ୍ମିତ ହସି ଉତ୍ତର ରଖିଲେ: ମହାଶୟ, ସେମାନେ ବଳଦ। ମନୁଷ୍ଯ ନୁହଁନ୍ତି ଯେ ଏ ପ୍ରକାର ଚତୁର ବୁଦ୍ଧି ପ୍ରୟୋଗ କରି କାମରେ ଖିଲାପ କରିବେ….

ଏବେ ମୁଁ ଭାବୁଥିଲି: ବୁଦ୍ଧିରେ ଆମ ଜେନେରେସନ୍ ଠୁ କାହିଁ କେତେ ଗୁଣରେ ଆଗୁଆ ଆଜିକାର ପିଲାଟିକୁ ମୁଁ ବଳଦ ଭାବିବାର ଭୁଲ୍ କଲି କେମିତି! 

© Lipsa Panda
#lipilekhaa #ଲିପିଲେଖା

Create a free website or blog at WordPress.com.

Up ↑